ଅଲମୋରା: ଉତ୍ତରାଖଣ୍ଡର ଅଲମୋରା ଅନ୍ତର୍ଗତ ଡୁଙ୍ଗରୀ ଉଡଲ ଗାଁରେ ସୋମବାର ଏକ ଦଃଖଦ ଘଟଣା ଘଟିଛି। ଅଢେଇ ବର୍ଷର ଏକ ଶିଶୁକୁ ମାଆ କୋଳରୁ ଝାମ୍ପି ନେଇଛି ଚିତାବାଘ। ଶିଶୁକୁ ଖୋଜିବାକୁ ବାଘ ପଛରେ ଯାଇଥିବା ଗ୍ରାମବାସୀ ଘରଠାରୁ ପ୍ରାୟ ୩ ଶହ ମିଟର ଦୂର ଜଙ୍ଗଲରୁ ଶିଶୁର ମୃତଦେହ ଉଦ୍ଧାର କରିଛନ୍ତି। ଶିଶୁର ମୃତ୍ୟୁରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭୈସିୟାଛାନା ବ୍ଲକ ସ୍ଥିତ ପେଟଶାଲ ଉଡ଼ଲ ଗାଁର ଦେବେନ୍ଦ୍ର ମେହରାଙ୍କ ଅଢେଇ ବର୍ଷୀୟ ପୁଅ ହର୍ଷିତ ମେହରାକୁ ତା’ର ମାଆ ହେମା ମେହରା ଅଗଣାରେ ବସି କ୍ଷୀର ପିଆଉଥିଲେ। ଏହି ସମୟରେ ଏକ ଚିତାବାଘ ଆସି ହଠାତ୍ ମାଆ କୋଳରୁ ଶିଶୁକୁ ଉଠାଇ ନେଇ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ହେମାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଏବଂ ଅନ୍ୟ ଗ୍ରାମବାସୀ ଚିତା ପଛରେ ଜଙ୍ଗଲ ଆଡ଼କୁ ଦୌଡି଼ଥିଲେ। ଘରଠାରୁ ପ୍ରାୟ ୩ ଶହ ମିଟର ଦୂର ବୁଦା ନିକଟରେ ସେମାନଙ୍କୁ ଚିତାର ଶବ୍ଦ ଶୁଣାଗଲା। ଗ୍ରାମବାସୀ ବୁଦାକୁ ଟେକା ପଥର ଫୋପାଡ଼ିବାରୁ ବାଘ ଶିଶୁକୁ ବୁଦା ମଧ୍ୟରେ ଛାଡ଼ି ପଳାଇଥିଲା। ମାତ୍ର ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା। ସୂଚନା ପାଇ ବନ ବିଭାଗ ଓ ରାଜସ୍ୱ ପୁଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅନେକ ଲୋକ ଚିତାବାଘର ଶିକାର ହୋଇଛନ୍ତି। ଲୋକେ ଚିତା ବିଷୟରେ ବନବିଭାଗକୁ ଅବଗତ କରାଇଥିଲେ। ବନବିଭାଗ ଚିତାକୁ ଧରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ଏବେ ଶିଶୁର ମୃତ୍ୟୁ ପରେ ଚିତାକୁ ଯଥାଶୀଘ୍ର ଧରିବାକୁ ଦାବି ଜୋର ଧରିଛି।



