ଲକ୍ଷ୍ମୀପୁର: ଦୁଇ ବର୍ଷ ପରେ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କଟକଣାକୁ ଉଠାଇ ଦେଇଥିବା ବେଳେ ଲକ୍ଷ୍ମୀପୁର ରେଳ ଷ୍ଟେସନରେ ଯାତ୍ରୀ ବାହୀ ରେଳ ରହଣି ହେଲା ନାହିଁ। ଫଳରେ ଦୁଇବର୍ଷ ହେବ ପ୍ରାୟ ୨ ବର୍ଷ ହେଲା ୪ଟି ବ୍ଲକର ଲକ୍ଷାଧିକ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେଲା ଲକ୍ଷ୍ମୀପୁର ଷ୍ଟେଷନରେ କୌଣସି ଯାତ୍ରୀବାହୀ ରେଳ ଅଟକୁ ନଥିଲା। ଏ ସଂକ୍ରାନ୍ତ ରେଳ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବଙ୍କ ଠାରୁ ଆରମ୍ଭ କରି ମହାପ୍ରବନ୍ଧକ ଓ ଖଣ୍ଡୀୟ ପ୍ରବନ୍ଧକଙ୍କୁ ବାରମ୍ବାର ଅବଗତ କରାଯିବା ସହିତ ରେଳ ରୋକ କରାଯାଇଥିଲା। ତେବେ କୋଭିଡ୍ କଟକଣା ଉଠିଲା ପରେ ଯେଉଁ ଯାତ୍ରୀ ବାହୀ ଟ୍ରେନଗୁଡିକ ଏହି ଷ୍ଟେସନରେ ରହୁଥିଲା ତାହା ପୁଣି ରହିବ ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଗତ ୧ ତାରିଖ ଠାରୁ କୋଭିଡ୍ କଟକଣା ଉଠାଇ ଦିଆଯାଇଥିଲା ବେଳେ ଲକ୍ଷ୍ମୀପୁର ଷ୍ଟେଷନରେ କେବଳ ଏକମାତ୍ର ବିଶାଖାପାଣା କୋରାପୁଟ ଯାତ୍ରୀ ବାହୀ ରେଳକୁ ଛାଡ଼ି ଦେଲେ ଅନ୍ୟ କୌଣସି ଯାତ୍ରୀବାହୀ ଟ୍ରେନ୍ ହୀରାଖଣ୍ଡ, ସମଲେଶ୍ବରୀ, ରାଉରକେଲା- ଜଗଦଲପୁର, ବିଶାଖାପାଟଣା ପାସେଞ୍ଜର, ସମ୍ବଲପୁର – କୋରାପୁଟ ପାସେଞ୍ଜର ଯାତ୍ରୀବାହୀ ରେଳ ଗାଡ଼ି ଗୁଡିକ ପ୍ରାୟ ଦୁଇ ବର୍ଷ ହେଲା ଏହି ପଥ ଦେଇ ଚଳାଚଳ କରୁଥିଲେ ମଧ୍ୟ ଏଠାରେ ରହୁ ନାହିଁ। ଯାହା ଫଳରେ ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ଲକ୍ଷାଧିକ ଲୋକେ ଯେଉଁ ମାନେ କି ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ବାର ଏନେଇ ରେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ଫଳରେ ଆଗାମୀ ଦିନରେ ଅଞ୍ଚଳ ବାସୀ ରେଳ ରୋକ କରାଯିବା ପାଇଁ ପୁଣି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ରେଳ ରହଣି ପାଇଁ ଲକ୍ଷ୍ମୀପୁର ଷ୍ଟେଷନରେ ୩ ଥର ରେଳ ଧାରଣାରେ ପ୍ରତିବାଦ ସହିତ ରେଳ ରୋକ କରାଯାଇଥିଲା। ତେବେ ମହାମାରୀ କଟକଣା ଉଠିଲା ପରେ ଯେଉଁ ଯାତ୍ରୀ ବାହୀ ରେଳ ଗୁଡ଼ିକ ବନ୍ଦ ରହିଛି ତାହା ପୁଣି ରହିବ ବୋଲି କତୃପକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ କଟକଣା ଉଠିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି କେବଳ ପାଣିର ଗାର କହିଲେ ଅତ୍ୟୁକ୍ତି ହେବନାହିଁ।



