ମହିଳାଙ୍କ ବିବାହ ବୟସ ହ୍ରାସ ନହେଉ : ବିଧି ଆୟୋଗ
ନୂଆଦିଲ୍ଲୀ : ମହିଳା ସର୍ବନିମ୍ନ ବିବାହ ବୟସ ସୀମା ୧୮ ବର୍ଷରୁ ୧୬ବର୍ଷକୁ ହ୍ରାସ ନ କରିବା ଲାଗି ବିଧି ଆୟୋଗ ସରକାରଙ୍କ ପରାମର୍ଶ ଦେଇଛନ୍ତି । ଜଷ୍ଟିସ ଋତୁରାଜ ଅଗସ୍ତିଙ୍କ ନେତୃତ୍ବ ୨୨ତମ ବିଧି ଆୟୋଗ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଦେଇଥିବା ରିପୋର୍ଟରେ ଏପରି ପରାମର୍ଶ ଦେଇଛି। ପୋକ୍ସୋ ଆଇନ ଅନୁଯାୟୀ ମହିଳାଙ୍କ ସର୍ବନିମ୍ନ ବୟସ ସୀମା ୧୮ବର୍ଷ ରହିଛି । ଏହି ବୟସ ସୀମା ୧୬ବର୍ଷକୁ ହ୍ରାସ କରିବା ଲାଗି ସରକାର ଯୋଜନା କରୁଥିବାବେଳେ ଆୟୋଗ ଏହାକୁ ନାପସନ୍ଦ କରିଛନ୍ତି। ବିବାହ ବୟସ ସୀମା ହ୍ରାସ କରାଯିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ଆୟୋଗ ସରକାରଙ୍କୁ ଚେତାବନୀ ନେଇଛନ୍ତି। ଆୟୋଗ କହିଛନ୍ତି ଯେ ବୟସ ସୀମା ହ୍ରାସ ଦ୍ବାରା ନାବାଳିକା ବିବାହ ଓ ଶିଶୁ ଚାଲାଣ ଭଳି ଅପରାଧକୁ ରୋକିବାରେ ସମସ୍ୟା ସୃଷ୍ଟି ହେବ। ୧୬ରୁ ୧୮ବର୍ଷର ଯୁବତୀଙ୍କ ସହିତ ଯୌନ ସମ୍ପର୍କକୁ ଅପରାଧ ମୁକ୍ତ କରାଗଲେ ପୋକ୍ସୋ ଆଇନର ମଧ୍ୟ ଗୁରୁତ୍ବ ହ୍ରାସ ପାଇବ।
ବିଧି ଆୟୋଗ ରିପୋର୍ଟରୁ ସମଲିଙ୍ଗୀ ବିବାହ ବାଦ୍
ଦେଶରେ ଏକକ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିବା ସମ୍ପର୍କରେ ବିଧି ଆୟୋଗ (ଲ’ କମିସନ) ପ୍ରସ୍ତୁତ କରିଥିବା ରିପୋର୍ଟରେ ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ବାଦ୍ ଦେଇଛନ୍ତି। ବିଧି ଆୟୋଗ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସେଥିରେ କେବଳ ପୁରୁଷ ଓ ମହିଳାଙ୍କ ବିବାହ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ଜଣାଯାଇଛି। ଦେଶରେ ପ୍ରଚଳିତ ଥିବା ବିଭିନ୍ନ ପ୍ରକାର ପର୍ସନାଲ ଲ’କୁ ଏକୀଭୂତ ପୂର୍ବକ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାର ୟୁସିସି ଆପଣାଇବାକୁ ପ୍ରସ୍ତାବ ଦେଇଛନ୍ତି। ବିଭିନ୍ନ ଧର୍ମ ଓ ଜାତିର ଅଲଗା ଅଲଗା ପର୍ସନାଲ ଲ’ ରହିଛି। ପର୍ସନାଲ ଲ’ ଦ୍ବାରା ବିବାହ, ଛାଡପତ୍ର, ସମ୍ପତ୍ତି ଉତ୍ତରାଧିକାରୀ ଓ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କୀତ ବିବାଦର ବିଚାର କରାଯାଇଥାଏ। ବିଭିନ୍ନ ପ୍ରକାର ପର୍ସନାଲ ଲ’କୁ ଉଚ୍ଛେଦ କରି ଗୋଟିଏ ପ୍ରକାର ଆଇନ ୟୁସିସି ଲାଗୁ କରାଯିବା ଲାଗି ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତା’ ଉପରେ ବିଧି ଆୟୋଗଙ୍କ ଠାରୁ ମତାମତ ଲୋଡା ଯାଇଛି। ବିଧି ଆୟୋଗ ସରକାରଙ୍କୁ ଯେଉଁ ରିପୋର୍ଟ ଦେବାକୁ ଯାଉଛନ୍ତି ସେଥିରେ ପ୍ରାକୃତିକ ବିବାହ (ପୁରୁଷ ଓ ମହିଳା) ସମ୍ପର୍କିତ ବିଭିନ୍ନ ବିବାଦ ଓ ଛାଡପତ୍ର ଆଦି ଉପରେ ମତାମତ ଦେଇଛନ୍ତି। ମାତ୍ର ଆୟୋଗ ସମଲିଙ୍ଗୀ ବିବାହ ସମ୍ପର୍କରେ କୌଣସି ମତାମତ ଦେଇ ନାହାନ୍ତି। ଯାହା ପ୍ରମାଣିତ କରୁଛି ଯେ ବିଧି ଆୟୋଗ ଭାରତରେ ସମଲିଙ୍ଗୀ ବିବାହକୁ କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି। ସମ୍ପ୍ରତି ବିଭିନ୍ନ ଦେଶରେ ଏବେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଥିବାବେଳେ ଆମ ଦେଶରେ ମଧ୍ୟ ଏହା ଉପରେ ବିଚାରବିମର୍ଶ ଚାଲିଛି। ଭାରତରେ ସମଲିଙ୍ଗୀ ବିବାହକୁ ଅନୁମୋଦନ ଦେବା ଲାଗି ଦାବି କରି ସର୍ବୋଚ୍ଚ ନ୍ୟାୟାଳୟରେ ୧୮ଟି ପିଟିସନ ଦାୟର କରାଯାଇଛି।
Comments are closed.