ପ୍ରାକ୍ତନ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ପରଲୋକ
ଆଠଗଡ : ଆଠଗଡ ରାଧାଗୋବିନ୍ଦପୁର ଅନ୍ତର୍ଗତ ମାରୁତି ବିହାର ନିବାସୀ ଅବସରପ୍ରାପ୍ତ ବିଚାରପତି, ପରିବେଶବିତ୍ ତଥା ‘ସମାଜ’ର ଆଇନ ପରାମର୍ଶଦାତା ଚିତ୍ତରଞ୍ଜନ ଦାଶଙ୍କର ୭୯ବର୍ଷ ବୟସରେ ଲଣ୍ଡନଠାରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ଗତ ଜୁଲାଇ ୩୦ତାରିଖରେ ଶ୍ରୀ ଦାଶଙ୍କ ଲଣ୍ଡନରେ ରହୁଥିବା ବଡପୁଅ ଲଲାଟେନ୍ଦୁ ଦାଶଙ୍କ ସହିତ ଶ୍ରୀ ଦାଶ ଓ ତାଙ୍କ ସହଧର୍ମିଣୀ ଲଣ୍ଡନ ଯାଇଥିଲେ। ଅଗଷ୍ଟ ୫ତାରିଖ (ଶନିବାର) ସନ୍ଧ୍ୟାରେ ସେଠାରେ ତାଙ୍କର ହୃଦ୍ଘାତ ହେବା ପରେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଭାରତୀୟ ସମୟ ପ୍ରାୟ ରାତି ୩.୩୦ମିନିଟରେ ପରଲୋକ ହୋଇଯାଇଥିବା ଖବର ମିଳିଥିଲା। ଶ୍ରୀ ଦାଶ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ଓକିଲାତିକୁ ପେଷା ଭାବେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ଲାଗି କାର୍ଯ୍ୟ କରୁଥିଲେ। ଆଠଗଡ ବନଖଣ୍ଡର ଅବୈତନିକ ବନ୍ୟଜନ୍ତୁ ତତ୍ତ୍ୱାବଧାରକ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ। ଏଥିସହିତ ଆଠଗଡ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ଗତ କିଛିବର୍ଷ ଧରି ସେ ସମାଜର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଉଷାରାଣୀ, ବଡପୁଅ ଲଲାଟେନ୍ଦୁ ଓ ବୋହୂ ଦେବଯାନୀ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ବାସସ୍ଥାନ ଆଠଗଡ ଓ ଜନ୍ମମାଟି ତରଡିଙ୍ଗରେ ଶୋକର ଛାୟା ଖେଳି ଯାଇଥିଲା।
ଖବର ପାଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ରାଷ୍ଟ୍ରୀୟ ସଂପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ଦୀପକ ମାଲବ୍ୟ, ଓଡିଶା ଶାଖା ସଂପାଦକ ଭୀମସେନ ଯାଦବ, ସମାଜ ସଂପାଦକ ଡଃ ପ୍ରମୋଦ ମହାପାତ୍ରଙ୍କ ସମେତ ସମାଜର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଦାଶଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଆଠଗଡ ଓଡିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୋକ ପ୍ରକାଶ ପାଇଥିଲା। ଲଣ୍ଡନରୁ ତାଙ୍କ ମରଶରୀରକୁ ଆଠଗଡ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ଆସନ୍ତା ଗୁରୁବାର ସୁଦ୍ଧା ମରଶରୀର ଏଠାରେ ପହଞ୍ଚିବା ପରେ ପୁରୀ ନେଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିବାର ଯୋଜନା ରହିଥିବା ପରିବାର ସୁତ୍ରରୁ ପ୍ରକାଶ।
Comments are closed.