ନାବାଳିକାଙ୍କୁ ଅପହରଣ ଅଭିଯୋଗ, କେରଳରୁ ଉଦ୍ଧାର କଲା ପୁଲିସ

ଲାଞ୍ଜିଗଡ଼: ଜଣେ ନାବାଳିକାଙ୍କୁ ଅପହରଣ କରି ବାହାର ରାଜ୍ୟକୁ ନେଇ ରଖିଥିବାବେଳେ ସେଠାରୁ ପୁଲିସ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହିତ କୋର୍ଟଚାଲାଣ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନାଞ୍ଚଳର ଜଣେ ନାବାଳିକା ଗତ ମଇ ମାସ ୮ ତାରିଖ ସକାଳୁ ନିଖୋଜ ଥିବା ନେଇ ତାଙ୍କ ବାପା ଲାଞ୍ଜିଗଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‌ଆଇ ବିଳାସିନୀ ଭୋଇ, ଏଏସ୍‌ଆଇ ମାଝୀ ଗମାଙ୍ଗୋ ପ୍ରମୁଖଙ୍କୁ ନେଇ ଏକ ଟିମ୍ ଗଠନ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ସଂପୃକ୍ତ ନାବାଳିକାଙ୍କୁ ବାଣୀପଙ୍ଗା ଗାଁର ମଧୁ ମାଝୀ ନାମକ ଜଣେ ଯୁବକ ଅପହରଣ କରି ନେଇଥିବା ଜଣାପଡିଥିଲା । ସେମାନଙ୍କ ମୋବାଇଲ ଟ୍ରାକିଂ କରାଯିବା ପରେ ସେମାନେ କେରଳର ଏର୍ଣ୍ଣାକୁଲମ ଅଞ୍ଚଳରେ ଥିବା ସୂଚନା ମିଳିଥିଲା। ଏହାପରେ ଏସ୍‌ଆଇ ବିଳାସିନୀ ଭୋଇ, ଏଏସ୍‌ଆଇ ମାଝୀ ଗମାଙ୍ଗୋ, ହାବିଲଦାର କାଶୀନାଥ ପଟେଲଙ୍କୁ ନେଇ ଏକ ତିନିଜଣିଆ ପୁଲିସ ଟିମ୍ କେରଳ ଗସ୍ତ କରିଥିଲେ । କେରଳ ଏର୍ଣ୍ଣାକୁଲମର ଅମ୍ରିତା ମେଡିକାଲ କଲେଜରେ ଅଭିଯୁକ୍ତ ମଧୁ କାମ କରୁଥିବାବେଳେ ନାବାଳିକାଙ୍କୁ ଏକ ଭଡାଘରେ ରଖିଥିବାବେଳେ ସେଠାରୁ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ ।

 

ନାବାଳିକା ଘରୁ ଗଲାବେଳେ ଦୁଇ ଅଣି ସୁନା ଘରୁ ନେଇଯାଇଥଇଲା। ତାହା ରାୟଗଡା ଜିଲା ଅମ୍ବାଦଳାର ଜଣେ ଗହଣାଦୋକାନୀଙ୍କଠାରେ ବିକ୍ରି କରି ସେହି ଟଙ୍କାରେ କେରଳ ଯାଇଥିଲେ । ଆଜି ଉଭୟଙ୍କୁ ପଚରାଉଚୁରା କରାଯିବା ପରେ ଲାଞ୍ଜିଗଡ ଥାନା କେସ୍ ନଂ ୨୮/୨୦୨୨ ଅନୁଯାୟୀ ଅଭିଯୁକ୍ତ ମଧୁ ମାଝୀଙ୍କୁ ପୋକସୋ କୋର୍ଟ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାପରେ ତାକୁ ଜେଲ୍ ଯିବାକୁ ପଡିଛି । ସେହିପରି ଅମ୍ବାଦଳାର ଦୋକାନୀଙ୍କଠାରୁ ସୁନା ମଧ୍ୟ ଉଦ୍ଧାର କରାଯାଇଥିବାବେଳେ ନାବାଳିକା ବର୍ତ୍ତମାନ ନିଜ ବାପାଙ୍କ ସହିତ ଘରକୁ ଯାଇଥିବା ଜଣାପଡିଛି।

Comments are closed.