www.samajalive.in
Saturday, December 6, 2025
26.1 C
Bhubaneswar

ପରିଚୟ ଖୋଜୁଛି ଆଦିବାସୀ ବହୁଳ ଆମ୍ବଝରି, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓ କରିଥିଲେ ପୋଷ୍ୟ ଗ୍ରାମ

ଲାଞ୍ଜିଗଡ଼: ଇତିମଧ୍ୟରେ ଚବିଶଟି ବର୍ଷ ବିତିଯାଇଛି। ଏଇ କାଲିପରି ଲାଗୁଛି। ଯେଉଁଦିନ ଆଦିବାସୀ ବହୁଳ ଏଇ ନିପଟ ମଫସଲ ଗାଁ ଆମ୍ବଝରିରେ ପଡ଼ିଥିଲା ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହରାଓଙ୍କ ପାଦ। କେବଳ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଓ ନୁହଁନ୍ତି ତାଙ୍କ ସହିତ ଓଡିଶାର ବିକାଶ ପୁରୁଷ ତଥା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କେନ୍ଦ୍ର ରେଳମନ୍ତ୍ରୀ ସୁରେଶ କାଲମାଡି, ରାଜ୍ୟ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଓ କଳାହାଣ୍ଡି ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଏଇ ଗାଁକୁ ପହଞ୍ଚିଥିଲେ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମପଞ୍ଚାୟତର ଏଇ ଆଦିବାସୀ ବହୁଳ ଗାଁ ରାତିକ ମଧ୍ୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ନେତୃବୃନ୍ଦ ଗାଁ ଲୋକଙ୍କୁ ବିକାଶର ନୂଆ ନୂଆ ସ୍ୱପ୍ନ ଦେଖାଇଥିଲେ। ଗାଁକୁ ସବୁଦିନିଆ ରାସ୍ତା, ପିଇବା ପାଣି, ବିଦ୍ୟୁତ୍‍ ଆଲୋକ, ସ୍କୁଲ, ହସ୍ପିଟାଲ ଆଦି ଅନେକ ସମ୍ଭାବନାର ବାର୍ତ୍ତା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଓ ଉପସ୍ଥିତ ଲୋକଙ୍କୁ ଉଦ୍‍ବୋଧନ ଦେଇ ଆମ୍ବଝରି ଗାଁକୁ ତାଙ୍କର ପୋଷ୍ୟ ଗ୍ରାମ ଘୋଷଣା କରିଥିଲେ।

ଦେଶର ଏତେ ସଂଖ୍ୟକ ନେତାଙ୍କୁ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବାବେଳେ ନେତୃବୃନ୍ଦଙ୍କ କଥାକୁ ବେଦର ଗାର ବୋଲି ଭାବିନେଇ ଖୁସିରେ ଉତ୍‍ଫୁଲ୍ଲିତ ହୋଇଯାଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ରାତାରାତି ପ୍ରଶାସନ ପକ୍ଷରୁ ଗାଁରେ ନଳକୂଅ ଖୋଳାଗଲା, ସୋଲାର ଆଲୋକ ଲଗାଇଦିଆଯାଇଥିଲା। ତେବେ ଇତି ମଧ୍ୟରେ ବିତିଯାଇଛି ଚବିଶ ବର୍ଷ। ସେହି ସମୟରେ ଜନ୍ମିଥିବା ଗାଁର ପିଲାମାନେ ଏବେ ଯୁବକ ହେଲେଣି। ସ୍କୁଲ ଅଭାବରୁ ଅଧାରେ ପାଠ ବି ଛାଡି ସାରିଛନ୍ତି। କାମଧନ୍ଦା ଅଭାବରୁ କେରଳ, ତାମିଲନାଡୁ ଯାଉଛନ୍ତି। ଆଉ ନିଜ ବାପ-ମାଆ ଓ ପରିବାର ଲୋକଙ୍କୁ ପଚାରୁଛନ୍ତି, ସତରେ କିଏ ଜଣେ ଆସିଥିଲା କି ? ସତରେ ଆମ ଗାଁକୁ ଜଣେ ପ୍ରଧାନମନ୍ତ୍ରୀ ପୋଷ୍ୟ ଗାଁ କରିଥିଲେ କି? ଅଧିକାଂଶ ତ ସେସବୁ ବି ଜାଣିନାହାନ୍ତି କି ଜାଣିବାକୁ ବି ଚେଷ୍ଟା କରିନାହାନ୍ତି। କାରଣ ପ୍ରଧାନମନ୍ତ୍ରୀ ଯିବାର କେଇଟା ମାସ ଭିତରେ ସୋଲାର ଆଲୋକ ସବୁ ଖରାପ ହୋଇଗଲା। ତରବରରେ ତିଆରି ହୋଇଥିବା ନଳକୂଅ ଖରାପ ହୋଇଗଲା। ରାସ୍ତାଘାଟ ଯେମିତିକୁ ସେମିତି ରହିଲା। ନା ଖୋଲାଗଲା ସ୍କୁଲ ନା ହସ୍ପିଟାଲ। ଅବଶ୍ୟ ବହୁ ବିଳମ୍ବ ପରେ ଗାଁରେ ଏକ ପ୍ରାଥମିକ ସ୍କୁଲ ଖୋଲାଗଲା, ଯାହା ଆଜି ଏକ ପ୍ରକାର ଭଙ୍ଗାଦଦରା କହିଲେ ଚଳେ। ଗାଁର ପିଲାଏ କେବଳ ପଞ୍ଚମ ଶ୍ରେଣୀ ଯାଏଁ ପଢିପାରନ୍ତି। ତାପରେ କଦମ୍ବଗୁଡା କିମ୍ବା କମର୍ଦ୍ଧାକୁ ପାଠ ପଢିବାକୁ ଯିବାକୁ ହୁଏ। ଜଙ୍ଗଲୀ ରାସ୍ତା ଓ ସବୁବେଳେ ହିଂସ୍ରଜନ୍ତୁଙ୍କ ଭୟ ଯୋଗୁଁ ପିଲାଏ ଅଧାରେ ପାଠରେ ଡୋରୀ ବାନ୍ଧନ୍ତି। ସେହିପରି କଦମ୍ବଗୁଡା ଛକରୁ ଗାଁକୁ ଯିବାପାଇଁ ମାତ୍ର ଦେଢ କିମି ଦୂର ହୋଇଥିଲେ ହେଁ ଆଜି ବି ରାସ୍ତା ଖଣ୍ଡିଏ ନାହିଁ। ଗାଁ ଭିତରେ ଯାହା କିଛି କଂକ୍ରିଟ ରାସ୍ତା ରହିଛି। ଆଜି ବି ଗାଁରେ ଅଧିକାଂଶ ଲୋକେ ଇନ୍ଦିରାଆବାସ ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଦଉଡୁଛନ୍ତି। ଭତ୍ତା ଅପେକ୍ଷାରେ ଆଜି ବି କେତେଜଣ ବୁଢାବୁଢୀ ରହିଛନ୍ତି। ଗାଁରେ ଚାରିବର୍ଷ ତଳେ ବିଦ୍ୟୁତ୍‍ ସଂଯୋଗ ହୋଇପାରିଛି। ତେବେ ଦିନର ଅଧିକାଂଶ ସମୟ ଏହା ବି ରହେ ନାହିଁ। ପିଇବା ପାଣି ପାଇଁ ଗାଁ ଲୋକେ ଆଜି ବି ଦହଗଞ୍ଜ ହେଉଥିବାବେଳେ ଏବେ ଏବେ ଗାଁକୁ ପିଇବା ପାଣି ପାଇଁ କାମ ଚାଲିଥିବା ଦେଖିବାକୁ ମିଳିଛି। ସେହିପରି ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ଅନେକ ମୌଳିକ ସମସ୍ୟା ଘେରି ରହିଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପୋଷ୍ୟ ଗ୍ରାମ ଆଜି ବି ଖୋଜୁଛି ତାର ହୃତ ପରିଚୟ। ଏପରିକି ବିଜୁ ପଟ୍ଟନାୟକଙ୍କ ନାମ ବିକାଶର ଏକ ଟ୍ୟାଗ୍‍ ମାର୍କ ହୋଇଥିବାବେଳେ ତାଙ୍କ ନାମରେ ନାମିତ ଦଳ ୨୦ବର୍ଷ ଶାସନ କ୍ଷମତାରେ ଥିଲେ ବି ଏହି ଗାଁକୁ ବିଜୁବାବୁ ଦେଇଥିବା ପ୍ରତିଶ୍ରୁତି ଆଜି ବି ପାଳନ ହୋଇନଥିବା ଗାଁ ଲୋକେ କ୍ଷୋଭଭରା କଣ୍ଠରେ କହନ୍ତି। ଗାଁର ମୂରଲୀ ମାଝୀ, ସନ୍ତୋଷ ମାଝୀ ପ୍ରମୁଖ ଏହାକୁ ନେଇ ଦୁଃଖ ପ୍ରକାଶ କରୁଥିବାବେଳେ ଗାଁର ବିକାଶ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories