ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ କୁଟୁରୁପାଲି ଗାଁରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପକାଇବା ସମୟରେ ବିଦ୍ୟୁତ ଆଘାତରେ ଏକ ନାବାଳିକା ଶ୍ରମିକର ମୃତ୍ୟୁ ଘଟିଛି । ସୂଚନାଅନୁସାରେ କୁଟୁରୁପାଲି ଗାଁର ତିଳୋତମା ଚାଲାନଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହର ଛାତ ପକାଇବା ପାଇଁ ସେହି ଗାଁର ଜଗଦିଶ ଚାଲାନ ଠିକା ନେଇଥିଲା ଓ ସେହି ଛାତ ପକାଇବା କାମ କରିବା ପାଇଁ ବାଲିଜୋଡି ଗାଁର ନାବାଳିକା ଝୀଅ ପ୍ରଭା କୋଶଲିଆ(୧୭) ଶ୍ରମିକ ଭାବରେ କାମ କରିବା ପାଇଁ ଆସିଥିଲା । ଛାତ ଉପରେ ମିସ୍ତ୍ରୀ ପାଖରେ ରହି ସିମେଣ୍ଟ ମସଲା ଦେଉଥିବା ସମୟରେ ଛାତ ଉପରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ପ୍ରଭା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇପଡିଥିଲା । ଗୁରୁତର ହେବାରୁ ପ୍ରଭାଙ୍କୁ ନିକଟସ୍ଥ ବିଶ୍ୱନାଥପୁର ଡାକ୍ତରଖାନାକୁ ଅଣାଯାଇଥିଲା । ବିଶ୍ୱନାଥପୁର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ଡାକ୍ତରଖାନା ପରିସରରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।
ସୂଚନା ଥାଉକି ମୃତ ପ୍ରଭା କୋଶଲିଆର ବାପା ଅତ୍ୟନ୍ତ ନିରିହ ଗରିବ ହୋଇଥିବାରୁ ନିଜ ଅଞ୍ଚଳରେ କାମଧନ୍ଧା ନପାଇବାରୁ ସୁଦୁର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି । ଘରେ ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ନିଜ ତିନି ଭାଇଭଉଣୀ ଓ ମାଁ ବୁଡିର ପ୍ରତିପୋଷଣ ପାଇଁ ପ୍ରଭା ପାଠ ଛାଡି କୁଲି ମଜୁରୀ କରି ଚଳୁଥିଲା । ଆଜି ପ୍ରଭାର ମୃତ୍ୟୁ ଘଟଣାକୁ ନେଇ ବାଲିଜୋଡି ଗାଁରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଥିବା ବେଳେ କ୍ଷତିପୁରଣ ସହ ସଂପୃକ୍ତ ଠିକାଦାରଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି । ଜଣେ ନାବାଳିକାକୁ କାହିଁକି ଛାତକାମରେ ଠିକାଦାର ଜଣକ ନିୟୋଜନ କରିଥିଲେ ପ୍ରଶ୍ନ କରିଥିଲେ ଅଞ୍ଚଳବାସୀ। ଘଟଣା ସ୍ଥଳକୁ ଅମ୍ବାଦୋଳା ପୁଲିସ ପହଁଚି ଛାନଭିନ୍ କରୁଥିବା ବେଳେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମ୍ବାଦୋଳା ଥାନାଧିକାରୀ ପ୍ରକାଶ କରିଛନ୍ତି ।



