ସ୍ବାମୀ ଦାଦନ ଖଟିବାକୁ ଯିବା ପରେ ପତ୍ନୀ ନିଖୋଜ
ଲାଞ୍ଜିଗଡ଼: ପତି ପତ୍ନୀ ହୋଇ ଦୁହେଁ ରହୁଥିଲେ ଖୁସିରେ। ନିଜର ବୋଲି ଘର ଖଣ୍ଡିଏ ନଥିବାରୁ ପତ୍ନୀ ତାଙ୍କୁ ବାହାର ରାଜ୍ୟକୁ ଯାଇ କାମ କରି ଦୁଇପଇସା ଅଧିକ ରୋଜଗାର ପାଇଁ ମନାଇଥିଲେ।ପତ୍ନୀଙ୍କ ସହିତ ପରାମର୍ଶ ପରେ ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ। ସ୍ୱାମୀ ଘର ଛାଡି ଦାଦନ ଖଟିବାକୁ ଯିବାର ସପ୍ତାହେ ନ ପୁରୁଣୁ କାହାକୁ କିଛି ନକହି ଘର ଛାଡି କୁଆଡେ ଚାଲିଯାଇଛନ୍ତି ସ୍ତ୍ରୀ। ତାଙ୍କୁ ବାରମ୍ବାର ଫୋନ୍ କଲେ ବି ସେ ତାଙ୍କ ଫୋନ୍ କେହି ଉଠାଉନାହାନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ସ୍ୱାମୀ। ନିଜ ପତ୍ନୀ ନିଜ ଇଛାରେ ଘର ଛାଡ଼ି କୁଆଡେ ଚାଲିଯାଇଛନ୍ତି ନା କେହି ତାଙ୍କୁ କେହି ଅପହରଣ କରି ନେଇଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସର ସହାୟତା ନେଇଛନ୍ତି।
ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ପାଣିମୁଣ୍ଡାଠାରେ। ଏହି ଗାଁର ବୀର ଗଉଡ ନାମ ଜଣେ ଯୁବକ ଚାରିବର୍ଷ ତଳେ ଜଣେ ଆଦିବାସୀ ସଂପ୍ରଦାୟର ଯୁବତୀ କ୍ଷିତିସୂତା ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ଚାରିବର୍ଷ ପର୍ୟ୍ୟନ୍ତ ଦୁହେଁ ଅତ୍ୟନ୍ତ ହସଖୁସିରେ ଜୀବନ ବିତାଇଥିଲେ। ଗତ ପନ୍ଦର ଦିନ ତଳେ ସ୍ୱାମୀ-ସ୍ତ୍ରୀ କଥା ହୋଇ ବୀର ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ଏହି ସମୟରେ ଘରେ ଥିଲେ ତାଙ୍କ ପତ୍ନୀ କ୍ଷିତିସୂତା। ତେବେ ବୀର ସିକନ୍ଦରାବାଦ ଯିବାର କିଛିଦିନ ଦୁହେଁ ଫୋନରେ କଥା ହେଉଥିଲେ । କିନ୍ତୁ ୧୦ ତାରିଖ ଶୁକ୍ରବାର ରାତି ନଅଟା ପରେ ତାଙ୍କ ଫୋନ୍ ରିଙ୍ଗ ହେଲେ ବି କେହି ଉଠାଇନଥିଲେ । ବାରମ୍ବାର ଫୋନ୍ କରିବା ପରେ ତାଙ୍କ ଘର ସାମ୍ନାରେ ଥିବା ନିଜ ବଡଭଉଣୀଙ୍କୁ ଘରକୁ ଯାଇ ଦେଖିବାକୁ କହିଥିଲେ। ବଡଭଉଣୀ ଯାଇ ଦେଖିବାବେଳେ ଘରେ ତାଲା ପଡିଥିଲା ଏବଂ କ୍ଷିତିସୂତା ଘରେ ନଥିଲେ । ଏହାପରଠାରୁ ଆଜିଯାଏଁ ବୀର ଫୋନ୍ କରୁଥିଲେ ହେଁ କ୍ଷିତିସୂତାଙ୍କ ଫୋନ୍ ଲାଗୁନାହିଁ । ପାଖପଡୋଶୀ, ପରିବାର ଓ ସଂପର୍କୀୟଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ କ୍ଷିତିସୂତାଙ୍କ ଖୋଜଖବର ମିଳିନି। ଏନେଇ ବୀର ନର୍ଲା ଥାନାର ଦ୍ୱାରସ୍ତ ହୋଇଥିବାବେଳେ ନର୍ଲା ପୁଲିସ କେସ୍ ନଂ ୨୪/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ପତ୍ନୀ କ୍ଷିତିସୂତାଙ୍କ ଏକ ଫଟୋ ଧରି ବୀର ତାଙ୍କୁ ଖୋଜି ବୁଲୁଛନ୍ତି, ଯାହାକୁ ଦେଖୁଛନ୍ତି, ନିଜ ସ୍ତ୍ରୀଙ୍କ ସଂପର୍କରେ ପଚାରୁଛନ୍ତି। ନିଜ ପତ୍ନୀଙ୍କୁ ଘରକୁ ଫେରି ଆସିବାକୁ ସ୍ବାମୀ ବୀର ନିବେଦନ କରିଛନ୍ତି। ଯଦି କେହି ତାଙ୍କ ପତ୍ନୀଙ୍କ ବିଷୟରେ ସୂଚନା ପାଆନ୍ତି ତାହେଲେ ତାଙ୍କୁ କିମ୍ବା ସ୍ଥାନୀୟ ପୁଲିସକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି।
Comments are closed.