ଚାଟୁଆରେ ଭେଟିବେ ଆନ୍ଧ୍ର-ଓଡ଼ିଶା ଅଧିକାରୀ
ରାଇପାହାଡ଼ ସୀମା ଚିହ୍ନଟ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା
ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗଁାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗିରହିଛି। ବିବାଦର ସମାଧାନ ପାଇଁ ଆନ୍ଧ୍ର-ଓଡ଼ିଶା ଅଧିକାରୀଙ୍କୁ ନେଇ ଗୁରୁବାର ଦିନ ୧୧ଟା ସମୟରେ ସୀମାନ୍ତ ଚାଟୁଆ ଫରେଷ୍ଟ ରେଷ୍ଟ ହାଉସରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମରେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶ, ଦେଢ଼ କିମି ସୀମା ଡେଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା, ଆନ୍ଧ୍ର ରାଜ୍ୟ ସରକାରଙ୍କ ଯୋଜନାରେ ରାଇପାହାଡ ଗ୍ରାମବାସୀଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯିବ। ରାଇପାହାଡ ସୀମାରେ ଗତ ୧୨ ତାରିଖରେ ହୋଇଥିବା ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ପ୍ରଥମ ଆଲୋଚନା ବିଫଳ ହୋଇଥିଲା। ଆନ୍ଧ୍ର ତରଫରୁ ଆସିଥିବା ପ୍ରଶାସନିକ ଅଧିକାରୀ ନିଜକୁ କାଗଜପତ୍ରରେ ଅପ୍ରସ୍ତୁତ ଦର୍ଶାଇ ଉପସ୍ଥିତ ଓଡ଼ିଶା ତଥା କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ସମୟ ମାଗିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର ହୋଇଥିଲା। କୋରାପୁଟ ଜିଲା ପ୍ରଶାସନର ନିର୍ଦେଶ ମୁତାବକ ନନ୍ଦପୁର ତହସିଲଦାର ନରସିଂହ ଗାଦବା କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୬୫/୨୦୨୩ ପ୍ରକାରେ ଆନ୍ଧ୍ର ଡୁମୁରିଗୁଡା ତହସିଲଦାରଙ୍କୁ ପତ୍ର ଲେଖି ୨୭ ତାରିଖ (ଗୁରୁବାର) ୧୧ଟା ସମୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଦୁଇ ରାଜ୍ୟ ସୀମା ‘ଚାଟୁଆ’ ଫରେଷ୍ଟ ରେଷ୍ଟ ହାଉସକୁ ଆଲୋଚନା ସ୍ଥାନ ରୂପେ ନିରୂପଣ କରି ଆବଶ୍ୟକ ଦସ୍ତାବିଜ୍ ସହ ଆନ୍ଧ୍ର ଡୁମୁରିଗୁଡା ତହସିଲ, ଜଙ୍ଗଲ ବିଭାଗ, ଡୁମୁରିଗୁଡା ବିଡିଓ ଓ କୋନଡ୍ରୁମ ପଞ୍ଚାୟତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବାକୁ ଅବଗତ କରିଛନ୍ତି। ଓଡ଼ିଶା ତରଫରୁ ଉପଜିଲାପାଳ କୋରାପୁଟ ଶ୍ରୀ ଶବର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ବିଡିଓ ସୁଜିତ କୁମାର ମିଶ୍ର, ଏସଡିପିଓ ନନ୍ଦପୁର ସଞ୍ଜୟ କୁମାର ମହାପାତ୍ର, ବାଲଡ଼ା ବନାଞ୍ଚଳ ଅଧିକାରୀ ବାଦଲ କୁମାର ମହାନ୍ତି, ପାଡୁଆ ଥାନାଧିକାରୀ ଶବ୍ୟସାଚୀ ଶତପଥୀ, ବନପାଳ ସ୍ୱର୍ଣ୍ଣଞ୍ଜଳି କଅଁାର, ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରିଙ୍କ ସମେତ ବ୍ଲକ ଓ ସୀମାନ୍ତ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି ନନ୍ଦପୁର ତହସିଲଦାର ଶ୍ରୀ ଗାଦବା ସୂଚନା ଦେଇଛନ୍ତି।
Comments are closed.