କୋଟିଆ ଦଖଲ ଷଡ଼ଯନ୍ତ୍ର ; ପଶୁଛି ପଡ଼ିଶା, ଜଳକା ଓଡ଼ିଶା
ପଟାଙ୍ଗି : କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ୍ କୋଟିଆ ପଞ୍ଚାୟତର ଗ୍ରାମପୁଞ୍ଜରେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶ କମିବା ପରିବେର୍ତ୍ତ ବଢିବାରେ ଲାଗିଛି। ବିଭିନ୍ନ ସରକାରୀ ଯୋଜନାର ଲୋଭନୀୟ ପ୍ରତିଶ୍ରୁତି ଦେଇ ନିରୀହ କୋଟିଆବାସୀଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଗୋଟିଏ ପଟେ ନିଜ ଆଡ଼କୁ ଟାଣିବାକୁ ରୀତିମତ ଷଡଯନ୍ତ୍ର କରୁଛି। ଅନ୍ୟପଟେ ପଡୋଶୀର ଅନୁପ୍ରବେଶ ଉଦ୍ୟମକୁ ଓଡ଼ିଶା ସରକାର ରୋକିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। କୋଟିଆ ଗ୍ରାମପୁଞ୍ଜର କେତେକ ଗାଁକୁ ପାର୍ବତୀପୁରମ୍ ମାନ୍ୟମ୍ ଜିଲାରେ ସାମିଲ କରି ସେଠାରେ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଆନ୍ଧ୍ର ପ୍ରଶାସନ କୋଟିଆରେ ପଶିବା ବେଳେ ସୀମା ଜଗିଥିବା ଓଡ଼ିଶାର ପ୍ରଶାସନିକ ଓ ପୁଲିସ ଅଧିକାରୀ ସେମାନଙ୍କୁ ତଡିବାକୁ ପ୍ରୟାସ ଜାରି ରଖିଛନ୍ତି।
ବୁଧବାର ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆଜି ପାର୍ବତୀପୁରମ୍ ମାନ୍ୟମ ଜିଲାପାଳ ନିଶାନ୍ତ କୁମାର, ସାଲୁର ମଣ୍ଡଳ ତହସିଲଦାର ଜି ପାର୍ବତୀ, କୋଟିଆ ସର୍କଲ ଇନ୍ସପେକ୍ଟର ରୋହିନ ପାଥିଙ୍କ ସହ ବିଭିନ୍ନ ବ୍ଳକସ୍ତରୀୟ ଅଧିକାରୀଙ୍କ ଗହଣରେ ନେରେଡିବାଲସା, ତାଡିବଲସା ଓ ସାର୍କୀ ଆଦି ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସେମାନେ ବୁଝାଇବା ସହିତ ଏଥିରୁ ସୁଫଳ ପାଉଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ନାରେଡିବାଲସା ଚର୍ଚ୍ଚରେ କିଛି ସମୟ ପାଇଁ ଏକ ବୈଠକ ବସିଥିଲା। ଏହି ଅଞ୍ଚଳରେ ଜିଓ ନେଟ୍ୱର୍କ ପାଇଁ ଟାୱାର୍ ନିର୍ମାଣ ଓ ନେରେଡିବାଲସାରେ ନୂତନ ଥାନା ସ୍ଥାପନ ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମପୁଞ୍ଜକୁ ବାରମ୍ବାର ପରିଦର୍ଶନ ସଂପର୍କରେ ସୂଚନା ପାଇ କୋରାପୁଟ ଜିଲାପାଳ ଏମ୍ ଅବଦୁଲ ଅଖ୍ତରଙ୍କ ନିର୍ଦେଶକ୍ରମେ ବିଡ଼ିଓ, ତହସିଲଦାର ଓ ପୁଲିସ ଅଧିକାରୀମାନେ ସେଠାକୁ ଯାଇଥିଲେ। ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର, ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ସୁନାବେଡ଼ା ଉପ ଆରକ୍ଷୀ ନିରୀକ୍ଷକ ମନୋଜ କୁମାର ବେହେରାଙ୍କ ନେତୃତ୍ବରେ ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ ,କୋଟିଆ ଏସ ଆଇ ବିଷ୍ଣୁ ପ୍ରଶାଦ ଦାସ, ଏଏସ୍ଆଇ ପ୍ରତାପଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଗୋଟିଏ ପ୍ଳାଟୁନ ପୁଲିସ ଫୋର୍ସ ସହ କୋଟିଆର ଦୁଇ ପାର୍ଶ୍ବରେ ଦୁଇଟି ନାକାବନ୍ଦୀ କରି ତନଖି ଜାରି ରଖିଥିଲେ। ଗୋଟିଏ ସ୍ଥାନ ମେଡିକାଲ ସମ୍ମୁଖ ଏବଂ ଅନ୍ୟପଟେ ମାଡକାର ଠାରେ ନାକାବନ୍ଦୀ କରି ତନଖି ଜାରି ରଖିଥିଲେ। ଆନ୍ଧ୍ର ପାର୍ଶ୍ବରୁ ଆସିଥିବା ଜିଲା ପ୍ରଶାସନ ଅଧିକାରୀଙ୍କ ପକ୍ଷରୁ ସାଧାପୋଷାକଧାରୀ ସୁରକ୍ଷା କର୍ମଚାରୀ ମୋଟର ସାଇକେଲରେ ଆସିଥିବା ବେଳେ ଓଡ଼ିଶା ପ୍ରଶାସନର କଡ଼ା ପହରା ଦେଖି ସେପାଖରୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା।
ଆନ୍ଧ୍ର -ଓଡ଼ିଶା ସୀମାନ୍ତ କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମପୁଞ୍ଜ ବାସିନ୍ଦାଙ୍କ ପାଇଁ ଉଭୟ ରାଜ୍ୟ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସେମାନଙ୍କ ପାଇଁ ବେଶ ଖୋରାକ ଯୋଗାଉଥିବା ଦେଖିବାକୁ ମିଳୁଛି। କାରଣ ଉଭୟ ରାଜ୍ୟ ସରକାରଙ୍କ ସୀମାନ୍ତ ଜିଲା ପ୍ରଶାସନ ନିଜ ନିଜ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ସ୍ବତଃପ୍ରବୃତ ଭାବେ ଆଗେଇ ଆସୁଥିବା ବିବାଦୀୟ ବାସିନ୍ଦାଙ୍କ ପାଇଁ ସୁବିଧାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ମତ ପ୍ରକାଶ ପାଉଛି। ଆନ୍ଧ୍ରପ୍ରଦେଶ କୋଟିଆ ପଞ୍ଚାୟତକୁ ନିଜ ରାଜ୍ୟରେ ମିଶାଇବାକୁ ଖାଲି ଷଡ଼ଯନ୍ତ୍ର କରୁନାହିଁ ; ଅପରପକ୍ଷରେ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଆନ୍ଧ୍ର ସୀମାନ୍ତ ବାସିନ୍ଦାଙ୍କ ପାଇଁ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟ ବା ସହାୟତା ଯୋଗାଇ ନ ଥିଲେ ହେଁ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରି ଆସୁଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ସ୍ଥିତାବସ୍ଥା ଜାରି ସତ୍ତ୍ବେ ଆନ୍ଧ୍ର ଏହାକୁ ଭ୍ରୂକ୍ଷେପ ନ କରି ମନମାନି ନୀତିରେ ସୀମାନ୍ତ କୋଟିଆ ଗ୍ରାମପୁଞ୍ଜରେ ବାରମ୍ବାର ଅନୁପ୍ରବେଶ କରୁଛି। ରାଜ୍ୟ ସରକାର ଏଥିପାଇଁ କଠୋର ପଦକ୍ଷେପ ନେଉ ନ ଥିବା ହେତୁ ଆନ୍ଧ୍ର ଅନୁପ୍ରବେଶ ଦିନକୁ ଦିନ ବୃଦ୍ଧି ପାଉଛି।
Comments are closed.