କୋଟିଆର ବିକାଶ ପାଇଁ ୧୦୦କୋଟି ଘୋଷଣା ହୋଇଛି : ମନ୍ତ୍ରୀ
ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପର ଚାଲିଛି ନିର୍ମାଣ
ଭୁବନେଶ୍ୱର : କୋଟିଆ ଗ୍ରାମ ପଞ୍ଚାୟତର ସମୂହ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଥିଲେ। ଯେଉଁଥିରେ ରାସ୍ତା ନିର୍ମାଣ, ବିଦ୍ୟୁତ୍କରଣ ଓ ଜୀବିକା କାମ ଚାଲିଛି ବୋଲି ବିଧାନସଭାରେ କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।
କୋଟିଆର ବିକାଶରେ ରାଜ୍ୟ ସରକାର ଉଦାସୀନ ରହୁଥିବାରୁ ଆନ୍ଧ୍ର ସରକାର ଏହାର ସୁଯୋଗ ନେଇ କୋଟିଆ କବ୍ଜା କରିବାକୁ ଉଦ୍ୟମ ଚଳାଇଛି ବୋଲି ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇବା ସହିତ ଏ ସଂକ୍ରାନ୍ତରେ ସେମାନେ ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ। ଏହା ଉପରେ ଗୃହରେ ବିବୃତି ରଖି ମନ୍ତ୍ରୀ କହିଥିଲେ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ସେଠାରେ ଥାନା, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୁଖ୍ୟ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାସ୍ତରୀୟ ଅଧିକାରୀ ନିୟମିତ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଚଳିତବର୍ଷ କୋଟିଆ ଆଦର୍ଶ ବିଦ୍ୟାଳୟରେ ୫୯ଛାତ୍ର ଯୋଗଦେଇଛନ୍ତି। ସେମାନଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ କରାଯାଇଛି। ଗତ ୧୬ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡୋଲିଆମ୍ବଠାରୁ ନାରିଙ୍ଗିପଦର ଓ କୋଟିଆଠାରୁ ଦେଓମାଳି ଭାୟା କାଟ୍ରାଗୁଡ଼ା ରାସ୍ତା ନିର୍ମାଣ ବାବଦରେ ୧୮.୫୦କୋଟି, ମାଡ଼କାରଠାରୁ ଫାଟୁସିନେରୀ, ପଟ୍ଟାଙ୍ଗୀଠାରୁ ନେରେଡ଼ିବାଲସା, କୋଟିଆଠାରୁ ତାଡ଼ିବାଲସା ଓ କୁରୁଡ଼ିପଦରଠାରୁ ଗାଲିଗାବଦର ରାସ୍ତାର ଉନ୍ନତିକରଣ ପାଇଁ ୭.୭୬କୋଟି, ଷ୍ଟ୍ର ବେରୀ ଚାଷର ସମ୍ପ୍ରସାରଣ ପାଇଁ ୩କୋଟି, କୋଟିଆ ଝାଡ଼ୁ ବ୍ୟବସାୟୀକରଣ, କୁକୁଡ଼ା, ଛେଳି ଇତ୍ୟାଦି ପାଳନ ପାଇଁ ୧.୯୮କୋଟି ସମେତ ବିଦ୍ୟୁତ୍, ବିଜୁ ପକ୍କା ଘର, ପାନୀୟ ଜଳ, ଜଳସେଚନ, ହେଲିପ୍ୟାଡ଼ ନିର୍ମାଣ, ସରକାରୀ କ୍ୱାର୍ଟର୍ସ ନିର୍ମାଣ, ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟ, ଚେକ୍ ଡ୍ୟାମ୍, ପର୍ଯ୍ୟଟନର ବିକାଶ ପାଇଁ ସମୁଦାୟ ୫୦.୫୦କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ବିନିଯୋଗ କରାଯିବାକୁ ନିଷ୍ପିତ୍ତି ନିଆଯାଇଛି। ଉପରୋକ୍ତ ପ୍ରକଳ୍ପଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ।
Comments are closed.