ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରେଳ ଷ୍ଟେସନରେ ରବିବାର ଏକ ବଡ଼ ଅଘଟଣ ଘଟିଛି। ଏଠାରେ ସକାଳେ କୋରବାରୁ ଆସିଥିବା କୋରବା-ବିଶାଖାପାଟଣା ଏକ୍ସପ୍ରେସ୍ର ୩ଟି ଏସି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ବାହାର କରିଥିଲେ। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ନାହିଁ। କିନ୍ତୁ ଯାତ୍ରୀଙ୍କ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ବର୍ତ୍ତମାନସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟ୍ରେନ୍ ବିଶାଖାପାଟଣାର ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା। ଏହି ସମୟରେ ବି-୭ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦେଖୁ ଦେଖୁ ବି-୬ ଓ ବି-୫ ବଗିକୁ ନିଆଁ ବ୍ୟାପି ଯାଇଥିଲା।



