ଡେସ୍କ: କୋରାପୁଟ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋରାପୁଟ-ରାୟଗଡାରେ ପାହାଡ଼ରୁ ପଥର ଖସି ରେଳ ଟ୍ରାକ ଉପରେ ପଡିବା ଫଳରେ ଡୁମୁରିପୁଟ- ଦାମନଯୋଡ଼ି ମଝିରେ ଡାଉନଲାଇନ କ୍ଷତିଗ୍ରସ୍ତ ହୋଇଛି। ସେହିଁପରି ବିଶାଖାପାଟଣାରୁ କୋରାପୁଟ ଭିତରେ ତଇଡା- ଚିମିଡ଼ିପାଲି ମଝିରେ ବିଦ୍ୟୁତ ତାର ଉପରେ ଗଛ ପଡିଥିବା ଜଣାପଡିଛି।
ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ-ରାୟଗଡା ରାସ୍ତାରେ ବଙ୍ଗଳାଗୁଡା ନିକଟରେ ଅସ୍ଥାୟୀ ପୋଲ ଉପରେ ପାଣି ଚାଲୁଛି। ସମସ୍ତ ଯାନବାହନ ଡାଇଭରସନ ଦେଇ ଯିବା ଆସିବା କରୁଛନ୍ତି। ସେହିପରି ଦଶମନ୍ତପୁର ବ୍ଲକ ବାଲିଘାଟ ଗାଁ ହାଇସ୍କୁଲ ନିକଟ ପୋଲର ଆପ୍ରୋଚ ରୋଡ ଧୋଇଯାଇଛି। ପ୍ରବଳ ବର୍ଷାରେ ମୁରାନ ନଦୀରେ ପାଣି ଆସି ପୋଲର ଗୋଟେ ପଟ ପୁରା ଭାସିଯାଇଛି। ଅନ୍ୟପକ୍ଷରେ କୋରାପୁଟରୁ ସୁନାବେଡାକୁ ସଂଯୋଗ କରୁଥିବା ୨୬ନମ୍ବର ଜାତୀୟ ରାଜପଥ ମୋହନପଡା ନିକଟ ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଅଟକି ରହିଛି।



