ଭାରତରେ କିରଣବାଲା; ପାକିସ୍ତାନ ପହଞ୍ଚି ହେଲେ ଆମନା ବିବି:ଆଇଏସ୍‌ଆଇ ଏଜେଣ୍ଟ ସନ୍ଦେହ

0

ଚଣ୍ଡିଗଡ଼: ବୈଶାଖୀ ଅବସରରେ ନନକାନା ସାହେବ ଦର୍ଶନ ନିମନ୍ତେ ହୋସିଆରପୁରରୁ ଯାଇଥିବା କିରଣବାଲା ଅକସ୍ମାତ୍‌ ଆମନା ବିବି ପାଲଟି ଯିବା ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଚକିତ କରିଦେଇଛି। କିରଣ ବାଲାଙ୍କ ଶ୍ୱଶୁର ଏ ସମ୍ପର୍କରେ ସନ୍ଦେହ ପ୍ରକାଶ କରିବା ସହ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ସେ ସର୍ବଦା ନିଜ ମୋବାଇଲ ଫୋନରେ ଫେସବୁକ୍‌, ହ୍ୱାଟ୍ସଆପ୍‌ରେ ବ୍ୟସ୍ତ ରହୁଥିବା ତାଙ୍କ ଶ୍ୱଶୁର ଘର ଲୋକେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଶ୍ୱଶୁର ଘର ଲୋକେ ପଚାରିଲେ ସେ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଛି କହି ପରିସ୍ଥିତିକୁ ଆଡ଼େଇ ଯାଉଥିଲେ।
୩୨ବର୍ଷିୟା କିରଣ ବାଲା ୧୦ଏପ୍ରିଲ ୨୦୧୮ରେ ପାକିସ୍ତାନ ନିମନ୍ତେ ଗସ୍ତ କରିଥିଲେ। କିିରଣ ତାଙ୍କ ସନ୍ତାନଙ୍କୁ ନନକାନା ସାହେବ ଦର୍ଶନ କଥା କହି ପାକିସ୍ତାନ ଯାଇଥିଲେ। କିରଣଙ୍କ ତିନି ପୁଅ ଇନ୍ଦ୍ରଜିତ୍‌ କୌର(୧୩), ଅର୍ଜୁନ ସିଂହ(୮) ଓ ଗୁରୁମିତ ସିଂହ(୬) ରହିଛନ୍ତି। ଶ୍ୱଶୁର ତରସୋମ ସିଂହ ତାଙ୍କ ବହୂଙ୍କୁ ପାକିସ୍ତାନ ଯିବା ପାଇଁ ଏସଜିପିସି(ସିରୋମନି ଗୁରୁଦ୍ୱାରା ପ୍ରବନ୍ଧକ କମିଟି)ଙ୍କୁ ହସ୍ତାନ୍ତର କରିଥିଲେ। ସେମାନେ କିରଣବାଲାଙ୍କ ସୁରକ୍ଷା ସମ୍ପର୍କରେ ଶ୍ୱଶୁର ତରସୋମଙ୍କୁ ଆସ୍ୱସ୍ତ ମଧ୍ୟ କରିଥିଲେ।
କିରଣବାଲାଙ୍କ ସ୍ୱାମୀ ନରେନ୍ଦ୍ର ସିଂହଙ୍କ ୨୦୧୩ରେ ଏକ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଯାଇଥିଲା। ସ୍ୱାମୀର ମୃତୁ୍ୟ ପରେ କିରଣବାଲା ହିମାଚଳପ୍ରଦେଶର ଏକ ବିସ୍କୁଟ କମ୍ପାନୀରେ ବେଶ୍‌ କିଛି ବର୍ଷ କାମ କରିଥିଲେ। ତେବେ କିଛି ଦିନ ପରେ ସେହି କାର୍ଯ୍ୟ ମଧ୍ୟ ଛାଡ଼ି ଦେଇ ଘରେ ଆସି ସିଲେଇ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ କିରଣବାଲା। ତେବେ ହଠାତ୍‌ କିଛି ମାସ ଧରି କିରଣବାଲା ଚୁପଚାପ ରହିବା ସହ କେବଳ ମୋବାଇଲ ସହିତ ଅଧିକ ସମୟ ବିତାଉ ଥିଲେ। କିରଣବାଲା ପୁନର୍ବାର ବିବାହ ପାଇଁ କେବେ ଆଗ୍ରହୀ ନଥିଲେ। ତେଣୁ ଇଣ୍ଟରନେଟ ମାଧ୍ୟମରେ ସେ କେବେ ପାକିସ୍ତାନୀ ଜାଲରେ ପଡ଼ିଲେ ଏ ସମ୍ପର୍କରେ ପରିବାରବର୍ଗ କିଛି ଜାଣି ନାହାନ୍ତି। ତେବେ ନାନକାନା ସାହେବରେ ପହଞ୍ଚିବା ପରେ ହଠାତ୍‌ କିରଣବାଲା ନିଖୋଜ ହୋଇଗଲେ। ଏହାର କିଛି ଦିନ ମଧ୍ୟରେ କିରଣବାଲାଙ୍କ ଫେସବୁକ୍‌ ଆଇଡ଼ି ଆମନା ବିବିରେ ପରିବର୍ତ୍ତିତ ହୋଇଗଲା। ଏହା ଏକ ପରିକଳ୍ପିତ ଘଟଣା ହୋଇଥିଲେ ମଧ୍ୟ କିରଣବାଲାଙ୍କ ପରିବାରବର୍ଗ ଏ ସମ୍ପର୍କରେ କୌଣସି ସୁରାକ ପାଇ ନଥିବା ପ୍ରକାଶ କରିଛନ୍ତି। ନାନକାନା ସାହେବ ଦର୍ଶନରେ ଯାଇ ନିଖୋଜ ହେବା ତାଲିକା ବେଶ୍‌ ଲମ୍ବା। ୨୦୧୫ରେ ମଧ୍ୟ ସୁନୀଲ ସିଂହ ଓ ତାଙ୍କ ପତ୍ନୀ ଓ ୨ ସନ୍ତାନଙ୍କୁ ନେଇ ନାନକାନ ସାହେବ ଦର୍ଶନ ଯାଇ ନିଖୋଜ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଖବର ଆଉ କେହି ପାଇ ନଥିଲେ। ସେ ଜଣେ ପାକ୍‌ ଏଜେଣ୍ଟ ଥିଲେ ବୋଲି ପରବର୍ତ୍ତୀ ସମୟରେ ଗୁଜବ ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳେ। ଫରିଦକୋର୍ଟ ସୁନୀଲ ସିଂହ ଏବେ ପାକିସ୍ତାନରେ ରହୁଥିବା ସନ୍ଦେହ କରନ୍ତି ଅଞ୍ଚଳବାସୀ।
ପାକିସ୍ତାନର ଆଇଏସଆଇ ସୁନ୍ଦର ପୁରୁଷ ଓ ମହିଳାଙ୍କୁ ମାଧ୍ୟମ କରି ଭାରତରେ ନିଜ ସ୍ଥିତି ସୁଦୃଢ କରିବାର ଚକ୍ରାନ୍ତ ଚଲାଇଛନ୍ତି। କିରଣବାଲା ମଧ୍ୟ ଆଇଏସଆଇର ଏଭଳି ଶିକାରରେ ଛନ୍ଦି ଯାଇଥିବା ବିଶ୍ୱାସ କରନ୍ତି ଅଞ୍ଚଳବାସୀ ଓ ପରିବାରବର୍ଗ। ୧୨ଅକ୍ଟୋବର ୨୦୧୭ ଜଲନ୍ଦର ପୁଲିସ ୫୭ବର୍ଷିୟ ଏହସାନୁଲ ହକ୍‌ ନାମକ ଜଣେ ପାକିସ୍ତାନୀକୁ ଗୁଇନ୍ଦା ଅଭିଯୋଗରେ ଗିରଫ କରିଥିଲା। ସେ ଜଲନ୍ଦରରେ ଜଣେ ଶିଖ୍‌ ମହିଳାଙ୍କୁ ବିବାହ କରି ସେଠାକାର ଜମି ମଧ୍ୟ କ୍ରୟ କରି ନେଇଥିଲେ। ସେହିପରି ନିକଟରେ ଗୋରଖ ଶର୍ମା ନାମକ ଜଣେ ପାକିସ୍ତାନୀ ନାଗରିକଙ୍କ୍‌ୁ ମଧ୍ୟ ପଞ୍ଜାବ ଗୁଇନ୍ଦା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବେରୋଜଗାର ଯୁବକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଆଇଏସଆଇ ବ୍ୟବହାର କରୁଥିବା ଜଣାପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗ କିରଣବାଲାଙ୍କ ମୋବାଇଲ ନମ୍ବର ଓ ଫେସବୁକ୍‌ ଆକାଉଣ୍ଟର ତର୍ଜମା ଆରମ୍ଭ କରିଛି।

ଅପରପକ୍ଷରେ ପାକିସ୍ତାନର ଏକ ଖବରକାଗଜର ରିପୋର୍ଟ ଅନୁଯାୟୀ କିରଣବାଲା ପାକିସ୍ତାନ ଲାହୋର ନିବାସୀ ମହମ୍ମଦ ଆଜବଙ୍କୁ ବିବାହ କରିଛନ୍ତି। ୧୬ ଏପ୍ରିଲରେ କିରଣ ଇସଲାମ ଧର୍ମ ଗ୍ରହଣ କରିବା ସହ ମହମ୍ମଦଙ୍କୁ ବିବାହ କରିବା ସହ ପାକିସ୍ତାନ ବୈଦେଶିକ ଦପ୍ତରରେ ନିଜ ଭିସା ମିଆଦ ବୃଦ୍ଧି ପାଇଁ ଆବେଦନ କରିଛନ୍ତି।

Leave A Reply