ନୂଆଦିଲ୍ଳୀ : ଖୋଲାରେ ଶୌଚ କରୁଥିବା ଲୋକଙ୍କୁ ସରକାରଙ୍କ ମାଗଣା ଚାଉଳ ଦିଆଯିବ ନାହିଁ ବୋଲି କେନ୍ଦ୍ର ଶାସିତ ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ଶନିବାର ଏକ ବିବାଦୀୟ ନିର୍ଦେଶନାମା ଜାରି କରିଛନ୍ତି। ସେ ଏଥିରେ କହିଛନ୍ତି ଯେ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକଲୋକ ମାଗଣା ଚାଉଳ ଯୋଜନାର ଲାଭ ନେଉଛନ୍ତି । ହେଲେ ଅନେକ ଗ୍ରାମ ଏପର୍ଯ୍ୟନ୍ତ ଖୋଲା ଶୌଚରୁ ମୁକ୍ତ ହୋଇପାରିନାହାନ୍ତି । ସ୍ୱଚ୍ଛ ଭାରତ ଅଭିଯାନକୁ ଆଉ ପାଦେ ଆଗେଇ ନେବାକୁ ହେଲେ କଡ଼ା ପଦକ୍ଷେପର ଆବଶ୍ୟକତା ରହିଛି । ତେଣୁ ଯେଉଁ ଗ୍ରାମର ଲୋକ ଖୋଲାରେ ଶୌଚ କରୁଛନ୍ତି ଓ ଅଳିହା ଫିଙ୍ଗୁଛନ୍ତି ସେମାନଙ୍କୁ ସରକାରୀ ମାଗଣା ଚାଉଳ ଆଉ ମିଳିବନାହିଁ । କିରଣ ବେଦୀ ଟ୍ୱିଟ୍ କରି କହିଛନ୍ତି ଯେ ବିଧାୟକ ଏବଂ ଗ୍ରାମସଭା ଆୟୋଗ ଦ୍ୱାରା ଖୋଲାରେ ଶୌଚ ଏବଂ ଅଳିହା ଫିଙ୍ଗା ମୁକ୍ତ ଗ୍ରାମର ପ୍ରମାଣପତ୍ର ଦିଆଯିବା ପରେ ହିଁ ହିତାଧିକାରୀଙ୍କୁ ଚାଉଳ ମିଳିବ। ଏହି ନିର୍ଦେଶନାମା ଜୁନ୍ରୁ ଲାଗୁ ହେବ । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଉପରାଜ୍ୟପାଳ କରିଣ ବେଦୀ ବିଭାଗୀୟ ଅଧିକାରୀଙ୍କୁ ମାସକର ସମୟ ଦେଇଛନ୍ତି । ଏହାସହ ଉପରାଜ୍ୟପାଳ ମାଗଣା ଚାଉଳ ବଣ୍ଟନକୁ ଜୁନ୍ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ମାଗଣା ଚାଉଳକୁ ସୁରକ୍ଷିତ ଭଣ୍ଡାରରେ ରଖାଯାଇଛି । ପ୍ରମାଣପତ୍ର ମିଳିବା ପରେ ଚାଉଳ ବଣ୍ଟନ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
Popular Categories



