ସମାଜ ଡିଜିଟାଲ ଡେସ୍କ: କିଟ୍ରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି, ପୁଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଏହି ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଏଭଳି ଘଟଣା ଶୁଭଙ୍କର ନୁହେଁ । ଆତ୍ମହତ୍ୟା ଆଡକୁ ଯାଉଛନ୍ତି ଯୁବପୀଢି, ଯାହା କି ଚିନ୍ତାର ବିଷୟ ହୋଇଛି । କିଟ୍ ଘଟଣାକୁ ନେଇ ରାଜ୍ୟ ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳର ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ସୋସିଆଲ ମିଡିଆଲ ଏକ୍ସରେ ପୋଷ୍ଟ କରିଛନ୍ତି ।



