ଗୁରୁଡିଝାଟିଆ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କୋଟି ଓଡିଆଙ୍କ ହୃଦୟର ମଣି । ସେବା, ପରୋପକାର, ନିସ୍ୱାର୍ଥପର ସେବା ଓ ତ୍ୟାଗର ସେ ଥିଲେ ଜ୍ୱଳନ୍ତ ନିଦର୍ଶନ । ନିଜକୁ ତିଳ ତିଳ କରି ଜାଳି ଆଖିର ଲୁହକୁ ଚାପି ରଖି ଦୁଃଖି ଅସହାୟ ଓ ଦୁର୍ଦ୍ଦିନରେ ପଡିଥିବା ଅଭାବୀ ମଣିଷର ଆଖିର ଲୁହ ପୋଛି ସହାୟତାର ହାତ ବଢାଇ ସେବାର ମଶାଲ ଜାଳିଥିଲେ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ । ବାସ୍ତବରେ ଦାସେ ଆପଣଙ୍କ ବିଚାରଧାର ଓ ଜୀବନାଦର୍ଶ ଭଲ ମଣିଷ ଭାବେ ଗଢିତୋଳିବାରେ ସହାୟକ ହେବ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସେବା ଓ ସେବକ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ। ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜୀବନରେ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାକୁ ଜୀବନର ବ୍ରତ କରିବା ପାଇଁ କହିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଉତ୍ସବରେ ପୌରହିତ୍ୟ କରି କହିଥିଲେ ଜୀବନରେ ଭଲମଣିଷ ହେବା ଏକାନ୍ତ ଆବଶ୍ୟକ। ନିଜକୁ ସମର୍ପଣ ଭାବ ନେଇ ପ୍ରତିକୂଳ ଅବସ୍ଥାରେ ଭାଙ୍ଗି ନପଡି ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଦେଶ ମାତୃକାର ସେବା କରିବା ପାଇଁ କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ଆଜିର ଦୁନିଆରେ ଭଲ ମଣିଷ ଦ୍ରୁଷ୍ପାପ୍ୟ ହୋଇଯାଉଥିବା ବେଳେ ଉତ୍କଳମଣି ଙ୍କ ବ୍ୟକ୍ତିସତ୍ତା ଆମକୁ ଉତ୍ତମ ମଣିଷ ହେବାରର ରାହା ଦେଖାଇଥାଏ । ଉତ୍ସବର ସଂଯୋଜକ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସେବା ଓ ସେବକ ସପ୍ତାହ ପାଳନର ମହନୀୟ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଡଃ ମନୋରଞ୍ଜନ ମହାନ୍ତି ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରି ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ନିରଞ୍ଜନ ପତ୍ରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଦିପ୍ତିରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପୂଣ୍ୟାତ୍ମାଙ୍କ ଉପରେ ଆଧାରିତ ଆଲୋଚନାଚକ୍ରରେ ଅଂଶ୍ରଗହଣ କରିଥିବା ସଂସ୍କୃତ ବିଭାଗ ଛାତ୍ରୀ ଶୁଭଶ୍ରୀ ମିଶ୍ରଙ୍କୁ ମଞ୍ଚାସୀ ଅତିଥିବୃନ୍ଦ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ପୁସ୍ତକ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟଙ୍କୁ ପୂଣ୍ୟାତ୍ମାଙ୍କ ରଚିତ ପୁସ୍ତକ ଓ ସଂକ୍ଷିପ୍ତ ଆତ୍ମଜୀବନୀ ପ୍ରଦାନ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଥିବାରୁ ମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।



