କେରଳ ଭୂସ୍ଖଳନ: ୨୭୦ ଟପିଲା ମୃତ୍ୟୁ ସଂଖ୍ୟା
ତିରୁଅନନ୍ତପୁରମ୍ : କେରଳର ୱାୟନାଡ ଜିଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ତାଣ୍ଡବ ସ୍ଥଳରୁ ସେନା, ଏନଡିଆରଏଫ୍, ଅଗ୍ନିଶମ ସମେତ ବିଭିନ୍ନ ଏଜେନ୍ସି ଓ ସ୍ବେଚ୍ଛାସେବୀ ସଂଗଠନ ଜୀବନର ସନ୍ଧାନ କରୁଛନ୍ତି। ସେମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ୧୬୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ମଧ୍ୟରେ ୭୭ ପୁରୁଷ, ୬୭ ମହିଳା ଓ ୨୨ ଶିଶୁ ଅଛନ୍ତି। ଉଦ୍ଧାର ସମସ୍ତ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଅପରପକ୍ଷରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ପ୍ରତି ମୁହୂର୍ତ୍ତରେ ବଢ଼ିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ଏହା ୨୭୦ ଛୁଇଁଛି। ଏବେ ସୁଦ୍ଧା ପ୍ରାୟ ୨୦୦ ଲୋକ ନିଖୋଜ ଥିବାବେଳେ ସେମାନଙ୍କ ସନ୍ଧାନ ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ଅଦ୍ୟାବଧି ୧୦୦୦ରୁ ଅଧିକଙ୍କୁ ଉଦ୍ଧାର କରାଗଲାଣି। ଅନେକ ଲୋକ ନଦୀ ସ୍ରୋତରେ ଭାସିଯାଇଛନ୍ତି। ଏପରି କି ଘଟଣାସ୍ଥଳଠାରୁ ୧୦ରୁ ୨୦ କିମି ଦୂରରେ କେତେକଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନେକ ସ୍ଥାନରେ ଲୋକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଓ କେତେକ ସ୍ଥାନରେ ଶରୀରର ବିଭିନ୍ନ ଅଂଶକୁ ଠାବ କରାଯାଇଛି; ତେଣୁ ମୃତ୍ୟୁସଂଖ୍ୟା ଆକଳନ କଷ୍ଟକର ହୋଇପଡିଥିବା ୱାୟନାଡ଼ ଜିଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହି ଭୂସ୍ଖଳନରେ ଶତାଧିକ ଲୋକ ଆହତ ହୋଇଛନ୍ତି। ପ୍ରକୃତରେ କେତେ ସଂଖ୍ୟକ ଲୋକ ନିଖୋଜ ଅଛନ୍ତି ସେ ସମ୍ପର୍କରେ ଜିଲା କର୍ତ୍ତୃପକ୍ଷ ତଥ୍ୟ ସଂଗ୍ରହ କରୁଛନ୍ତି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ଏଠାରେ ଅନେକ ବାହାର ଲୋକ ଅବସ୍ଥାନ କରିଥିଲେ। ରାଜ୍ୟ ତଥା ଦେଶ ବାହାରୁ କେତେ ପର୍ଯ୍ୟଟକ ଥିଲେ ସେମାନଙ୍କ ତଥ୍ୟ ସଂଗ୍ରହ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ ପ୍ରଭାବିତ ଅଞ୍ଚଳରେ ବର୍ଷା ସହିତ ପ୍ରତିକୂଳ ପାଗ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଅନେକ ପରିବାର ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ଲାଗି ୱାୟନାଡରେ ପହଞ୍ଚିଛନ୍ତି। ଏଥିପାଇଁ ୪୫ଟି ରିଲିଫ୍ ଶିବିର ଖୋଲାଯାଇଛି। ଏହିସବୁ ରିଲିଫ ଶିବିରରେ ଏବେ ୩୦୬୯ଜଣ ଅବସ୍ଥାନ କରୁଛନ୍ତି। ଆତ୍ମୀୟ ସ୍ବଜନଙ୍କ ସମ୍ପର୍କରେ ସୂଚନା ପାଇଁ କେରଳ ସରକାର ଦୁଇଟି ଟେଲିଫୋନ ନମ୍ବର ଜାରି କରିଛନ୍ତି। ଟେଲିଫୋନ ନମ୍ବର ଦୁଇଟି ହେଲା ୯୬୫୬୯୩୮୬୮୯, ୮୦୮୬୦୧୦୮୩୩। ପରିସ୍ଥିତିର ମୁକାବିଲା ପାଇଁ କେରଳ ସରକାର କ୍ୟାବିନେଟ୍ ବୈଠକ କରିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିମନ୍ତେ ରିଲିଫ ଶିବିର ଖୋଲାଯାଇଛି। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁ ବୁଧବାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ୱାୟନାଡ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ ସ୍କୁଟରକୁ ଧକ୍କା ଦେବା ପରେ ଏକ ଇଲେକ୍ଟ୍ରିକ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ମନ୍ତ୍ରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। କେରଳରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟ ସରକାର ଓ ସଂଗଠନ ପକ୍ଷରୁ ସହାୟତାର ହାତ ବଢାଯାଇଛି। ତାମିଲନାଡୁର ସରକାର ୫କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ତାମିଲନାଡୁ ରାଜ୍ୟ କଂଗ୍ରେସ ପକ୍ଷରୁ ୧କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ତିରୁଅନନ୍ତପୁରମ୍ ବିମାନବନ୍ଦର କର୍ତ୍ତୃପକ୍ଷ ୨କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଶିଳ୍ପପତି ଗୌତମ ଆଦାନି କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି।
Comments are closed.