ବାଇକ୍ ଶୋଭାଯାତ୍ରା ଯୋଗେ ନିର୍ବାଚନ ସଚେତନତା, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଷ୍ଟ୍ରିଟ୍ ପ୍ଲେ ଓ ସେଲ୍ଫି ପଏଣ୍ଟ

କେନ୍ଦୁଝରଗଡ଼: ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର କେନ୍ଦୁଝରଗଡ଼ ପୌରପାଳିକାରେ ନିର୍ବାଚନ ସଚେତନତା ଉଦ୍ଦେଶ୍ୟରେ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ଆସନ୍ତା ମେ ୨୫ ତାରିଖରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ମହାପର୍ବରେ ବହୁ ସଂଖ୍ୟାରେ ସାମିଲ ହୋଇ ଭୋଟରମାନେ ସେମାନଙ୍କ ମତଦାନ କରିବାକୁ ହି ଶୋଭାଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।

prayash

ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରାକୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ନିଜେ ବାଇକ୍ ଚଲାଇ ଏହାର ନେତୃତ୍ୱ ନେଇଥିଲେ। ଏହି ଅବସରରେ ୧୨୦ରୁ ଉର୍ଦ୍ଧ୍ୱ ବାଇକ୍ ଆରୋହୀ ସାମିଲ୍ ହୋଇଥିବା ବେଳେ କେନ୍ଦୁଝର ରୟାଲ୍ ଏନଫିଲ୍ଡ କ୍ଲବର ୨୦ରୁ ଉର୍ଦ୍ଧ୍ୱ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ସମସ୍ତେ ନିର୍ବାଚନ ସଚେତନତା ସ୍ଲୋଗାନ୍ ଲେଖାଥିବା ସ୍ୱତନ୍ତ୍ର ଟି-ସାର୍ଟ ପିନ୍ଧିବା ସାଙ୍ଗକୁ ହାତରେ ପ୍ଲାକାର୍ଡ଼ ଧରି ପୁରୁଣାବଜାରସ୍ଥିତ ହାଡ଼ବନ୍ଧ ପୋଖରୀ ଅଭିମୁଖେ ବାହାରିଥିଲେ।

କେନ୍ଦୁଝରଗଡ଼ ପୌରପାଳିକା ତରଫରୁ ଏକ ସଚେତନତା ରଥ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଏହାପରେ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ସଚେତନତାର ବାର୍ତ୍ତା ବାଣ୍ଟିବା ପରେ ହାଡ଼ବନ୍ଧ ପୋଖରୀ ଠାରେ ଏହି ସଚେତନତା ଶୋଭାଯାତ୍ରା ଶେଷ ହୋଇଥିଲା। ସେଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓସ୍କା ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟ୍ରିଟ୍ ପ୍ଲେ ପରିବେଷଣ ହୋଇଥିଲା, ଯାହାକି ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବା ସହ ନିର୍ବାଚନ ସଚେତନତାର ନିଆରା ବାର୍ତ୍ତା ପ୍ରଦାନ କରିଥିଲା। ଏହି ଅବସରରେ ସମସ୍ତେ ଆସନ୍ତା ମେ ୨୫ ତାରିଖରେ ମତଦାନ କରିବାର ସଙ୍କଳ୍ପ ନେଇ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ଏବଂ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ। କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ କେନ୍ଦୁଝରର ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.