କଂଗ୍ରେସ ନେତାଙ୍କ ଆତ୍ମବିଶ୍ବାସ ବଢୁଛି, ପ୍ରଚାରରେ ମାତିଲେଣି ହୃଷୀକେଶ ଓ ବିନୋଦ

ପାଟଣା: ନିର୍ବାଚନ ଘୋଷଣା ପୂର୍ବରୁ କେନ୍ଦୁଝର ଜିଲ୍ଲାରେ କଂଗ୍ରେସର ଆତ୍ମବିଶ୍ବାସ ବଢୁଛି। ବିଜୁ ଜନତା ଦଳ ଟିକେଟରେ ଲୋକସଭାକୁ ଯାଇଥିବା କେନ୍ଦୁଝରର ଦୁଇ ପୂର୍ବତନ ସାଂସଦ ଦମ୍ପତି ଯଶୋବନ୍ତ ନାରାୟଣ ଲାଗୁରୀ ଓ ଶକୁନ୍ତଳା ଲାଗୁରୀ ଶୁକ୍ରବାର କଂଗ୍ରେସରେ ଯୋଗ ଦେବା ଏହି ଆତ୍ମବିଶ୍ବାସକୁ ବଳ ଯୋଗାଇଛି। ଦିନେ ବିଜୁ ଜନତା ଦଳର ଜୟ ଜୟକାର କରୁଥିବା ଓ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଭାଗ୍ୟ ବିଧାତା ବୋଲି ବର୍ଣ୍ଣନା କରୁଥିବା ଏହି ପୂର୍ବତନ ସାଂସଦ ଦମ୍ପତି କଂଗ୍ରେସରେ ଯୋଗ ଦେଇ ଯେତିକି ଚର୍ଚ୍ଚାରେ ନାହାଁନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ବିଧାୟକ ହୃଷୀକେଶ ନାଏକ ଓ ପୂର୍ବତନ ପାଟଣା କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ। କାରଣ ଏହି ୨ ନେତାଙ୍କ ମଧ୍ୟରୁ ୫ ଥରର ବିଧାୟକ ଥିବା ହୃଷୀକେଶ ନାଏକ ପାଟଣା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହେଉଥିବା ଓ ବିନୋଦ ବିହାରୀ ନାଏକ କଂଗ୍ରେସରେ ଲୋକସଭାକୁ ପ୍ରାର୍ଥୀ ହେଉଥିବା ନିଶ୍ଚିତ ଦାବି କରି ଆଗୁଆ ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି । ପାଟଣାରେ କଂଗ୍ରେସ ସମାବେଶ ପାଇଁ ସେମାନେ ପ୍ରସ୍ତୁତି ଶେଷ କରିବା ସହ ଗ୍ରାମକୁ ଗ୍ରାମ ଯାଇ ଜନସଂପର୍କ ଅଭିଯାନ ଚଳାଇଛନ୍ତି। ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ପରେ ବିଜେପି ଓ ବିଜେଡିରୁ ମଧ୍ୟ କିଛି ନେତା କଂଗ୍ରେସ ଯୋଗାଯୋଗରେ ଥିବା ସୂଚନା ମିଳିଛି । କଂଗ୍ରେସର ଲୋଭନୀୟ ଇସ୍ତାହାର ଏବେ ସବୁ ବର୍ଗର ଲୋକଙ୍କୁ ଖୁସ କରିବାର ପ୍ରୟାସ ଦେଇଥିବାରୁ ଏହି ଆଶାରେ କଂଗ୍ରେସ କିଛି ଗାଦି ଲୋଭୀଙ୍କ ଆଶ୍ରୟ ସ୍ଥଳ ହେବା ସମ୍ଭାବନା ବଢ଼ିଛି ।

Comments are closed.