ଭିତ୍ତିଭୂମି ଅଭାବ; ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଝୁଲିବ ତାଲା !

କେନ୍ଦୁଝରଗଡ଼଼: ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ୬ ରୁ ୧୪ବର୍ଷ ଶିଶୁଙ୍କୁ ମାଗଣାରେ ବାଧ୍ୟତାମୂଳକ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ କରିଆସୁଛନ୍ତି। ଏଥିସହ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ନିଃଶୁଳ୍କ ଶିକ୍ଷାଦାନ ସହ ପାଠ୍ୟ ଉପକରଣ, ପୋଷାକ ଓ ମଧ୍ୟାହ୍ନଭୋଜନ ମାଗଣାରେ ଯୋଗାଇ ଦେଇ ଆସୁଥିଲେ ହେଁ ଆଦିବାସୀବହୁଳ କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ସରକାରଙ୍କ ଏହି ବ୍ୟବସ୍ଥା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିପାରିନାହିଁ।

ଅପରପକ୍ଷେ ଆବଶ୍ୟକ ଶ୍ରେଣୀଗୃହ ସାଙ୍ଗକୁ ଶିକ୍ଷକ ପଦ ଖାଲି ପଡ଼ିବା ଯୋଗୁଁଁ ଜିଲାର ଅନେକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବାକୁ ଯାଉଛି। ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଏବେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦ ଖାଲି ଯୋଗୁଁଁ ତାଲା ପଡ଼ିବାକୁ ଯାଉଛି। ୧୯୯୦ ମସିହାରେ ଗଢ଼ି ଉଠିଥିବା ନୂଆଗାଁ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଜଣ ଛାତ୍ର ଓ ୧୨ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୧୮ଜଣ ଅଧ୍ୟୟନ କରୁଛନ୍ତି।

ଅଧ୍ୟୟନ କରୁଥିବା ୧୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬ଜଣ କେବଳ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଥିବାବେଳେ ପ୍ରଥମଶ୍ରେଣୀରେ ୩ଜଣ, ଦ୍ୱିତୀୟଶ୍ରେଣୀରେ ୪ଜଣ, ତୃତୀୟଶ୍ରେଣୀରେ ୫ଜଣ ଓ ଚତୁର୍ଥଶ୍ରେଣୀରେ ୪ଜଣ ଅଧ୍ୟୟନ କରୁଥିବା ବେଳେ ଚଳିତବର୍ଷ ପଞ୍ଚମଶ୍ରେଣୀରେ ଜଣେହେଲେ ଛାତ୍ରଛାତ୍ରୀ ଅଧ୍ୟନ କରୁନଥିବା ଜଣାପଡ଼ିଛି। ଦୁଇଟି ଶ୍ରେଣୀଗୃହ ଓ ଗୋଟିଏ କାର୍ଯ୍ୟାଳୟ କକ୍ଷକୁ ମିଶାଇ ମୋଟ ୩ଟି ଗୃହକୁ ନେଇ ଗଠିତ ଉକ୍ତ ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିଛି ଶିକ୍ଷାଦାନ।

ଶିକ୍ଷକ ଅଭାବରୁ ଗୋଟିଏ ଶ୍ରେଣୀଗୃହରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ବସି ଅଧ୍ୟନ କରୁଥିବା ବେଳେ କୌଣସି କାରଣରୁ ଶିକ୍ଷୟିତ୍ରୀ ଛୁଟିରେ ରହିଲେ କିମ୍ବା ସରକାରୀ ବୈଠକରେ ଯୋଗଦେବାକୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ହେଲେ ଉକ୍ତ ଦିନ ମାନଙ୍କରେ ଶିକ୍ଷାଦାନ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି। ଏପରିକି ଶିକ୍ଷକ ଅଭାବରୁ ପଞ୍ଚମଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ୍‌‌ୁ ସେମାନଙ୍କ ଅଭିଭାବକ ନିକଟସ୍ଥ ଟାଙ୍ଗରାଣୀ ଓ ସରାସକୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରିନେବାରୁ ଏବେ ପଞ୍ଚମଶ୍ରେଣୀରେ ଜଣେହେଲେ ଛାତ୍ରଛାତ୍ରୀ ନଥିବା ଜଣାପଡ଼ିଛି।

ଏଳିସ୍ଥିତିରେ ୩୪ବର୍ଷର ଏହି ବିଦ୍ୟାଳୟର ସ୍ଥିତି ବଜାୟ ରଖିବାକୁ ହେଲେ ତୁରନ୍ତ ଆବଶ୍ୟକ ଶ୍ରେଣୀଗୃହ ସହ ଅନ୍ତତଃପକ୍ଷେ ଅଧିକ ଜଣେ ଶିକ୍ଷକ ନିଯୁକ୍ତି କରାନଗଲେ ଆସନ୍ତା ଶିକ୍ଷାବର୍ଷରୁ ଉକ୍ତ ବିଦ୍ୟାଳୟରେ ଯେ ତାଲା ନଝୁଲିବ ସେହି ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଖଗେଶ୍ୱର ମହାନ୍ତ ସତର୍କ କରାଇ ଦେଇଛନ୍ତି।

Comments are closed.