ଜିଲା କ୍ରୀଡ଼ା ସଂସ୍ଥା ନିର୍ବାଚନ ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ବରିଷ୍ଠ ସଦସ୍ୟ 

୪୪ବର୍ଷ ଧରି ହୋଇନି ନୂତନ ସଦସ୍ୟ ଗ୍ରହଣ, ୮ବର୍ଷ ଧରି ବସିନି କାଉନସିଲ ବୈଠକ

କେନ୍ଦୁଝରଗଡ଼: ମର୍ଯ୍ୟାଦାଜନକ ଜିଲା କ୍ରୀଡ଼ା ସଂସ୍ଥା କର୍ମକର୍ତ୍ତା ନିର୍ବାଚନ ଶେଷଥର ପାଇଁ ୨୪ ଅପ୍ରେଲ ୨୦୧୬ରେ ହୋଇଥିଲା। ସଂସ୍ଥା ସମ୍ବିଧାନ ଅନୁଯାୟୀ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୪ବର୍ଷ ଅବଧି ରହିଛିା ଇତିମଧ୍ୟରେ ନିର୍ବାଚିତ କର୍ମକର୍ତ୍ତାଙ୍କ ଅବଧି ୮ବର୍ଷ ଶେଷ ହୋଇଥିବାବେଳେ ସଂସ୍ଥାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନହେବାକୁ ନେଇ ସଂସ୍ଥା ସଦସ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୋଦ୍‌‌ ଜିଲାପାଳ ଏହି ସଂସ୍ଥାର ସଭାପତି ହୋଇଥିବାରୁ ତୁରନ୍ତ ସଂସ୍ଥାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂସ୍ଥାର ବରିଷ୍ଠ ସଦସ୍ୟ ତଥା ପୂର୍ବତନ କୋଷାଧ୍ୟକ୍ଷ ରବିନାରାୟଣ ଦାସ ଗତ ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲିଖିତ ଭାବେ ଦାବି କରିଛନ୍ତି। ଏଥିସହ ସଂସ୍ଥାର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସଦସ୍ୟଙ୍କୁ ସାମାନ୍ୟ ଅବଗତ ନ କରିବା, ଅନ୍ତତଃପକ୍ଷେ ବର୍ଷକୁ ଥରୁଟିଏ ସଂସ୍ଥାର ସାଧାରଣ ବୈଠକ ଆହୁତ କରିବା, ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଫୁଟବଲ ପ୍ରତିଯୋଗିତା ପୁନଃ ଆରମ୍ଭ ଏବଂ ୧୯୮୦ ମସିହାର ପରଠାରୁ ସଂସ୍ଥାର ନୂତନ ସଦସ୍ୟ ଗ୍ରହଣ କରାଯାଇ ନଥିବାରୁ ତୁରନ୍ତ ନୂତନ ସଦସ୍ୟ ଗ୍ରହଣ ଦିଗରେ ଉଚିତ୍‌‌ ପଦକ୍ଷେପ ଗ୍ରହଣ କରିବାକୁ ସଦସ୍ୟ ଶ୍ରୀ ଦାସ ନିବେଦନ କରିଛନ୍ତି।

ଜିଲାରେ କ୍ରୀଡା ଓ କ୍ରୀଡାବିତ୍‌‌ଙ୍କ ବିକାଶ ତ ଦୂରର କଥା ବର୍ତ୍ତମାନର କର୍ମକର୍ତ୍ତାଙ୍କ ସମୟରେ ଥରୁଟିଏ ସଂସ୍ଥାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ନହେବା ସଂସ୍ଥାରେ ମେରୀ ରାୟ ଚାଲିଥିବା ନେଇ ବହୁ କର୍ମକର୍ତ୍ତା ଓ ସଦସ୍ୟ ଖୋଲାଖୋଲି ଅଭିଯୋଗ କରିଆସୁଛନ୍ତି। ଜିଲା କ୍ରୀଡା ସଂସ୍ଥାରେ ସ୍ୱଛତା ନରହିବା ଏବଂ ସଂସ୍ଥା ଅଧିନରେ ପରିଚାଳିତ ବହୁ ପୁରାତନ କେନ୍ଦୁଝର ଷ୍ଟାଡିୟମ ରକ୍ଷଣାବେକ୍ଷଣ ଅଭାବରୁ ପଡ଼ିଆ ନଷ୍ଟ ହେବାସହ ପାଚେରୀ ଭାଙ୍ଗି ରୁଜି ପଡ଼ିଥିବା ବେଳେ ଏହା ଗତ କିଛିବର୍ଷ ଧରି ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ଏହି ଷ୍ଟାଡିୟମ ପଡ଼ିଆରେ ବହୁ ସମୟରେ ଜିଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ସମେତ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇ ଆସୁଥିଲେ ମଧ୍ୟ ପ୍ରଶାସନ ନାଲି ଆଖି ଭୟରେ ଭଗ୍ନ ପ୍ରାୟ ଷ୍ଟାଡିୟମର ମରାମତି ନେଇ କୌଣସି ସଦସ୍ୟ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ସଂସ୍ଥାର ଯୁଗ୍ମସମ୍ପାଦକ ରମାକାନ୍ତ ମହାନ୍ତି ନିକଟରେ କର୍ମକର୍ତ୍ତା ପଦ ସମେତ ସଂସ୍ଥାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହା ପୂର୍ବରୁ ସଂସ୍ଥାର ଉପସଭାପତି ଧିରେନ୍ଦ୍ର ରାଇତ ଓ କାଉନସିଲ ସଦସ୍ୟ ଉମେଶ ଚନ୍ଦ୍ର ଦାସଙ୍କ ସମେତ ୨୮ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ଅକାଳ ବିୟୋଗ ଘଟିଥିଲେ ମଧ୍ୟ ଖାଲି ପଡ଼ିଥିବା ସଭ୍ୟ ପଦ ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଜିଲାରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପରିପନ୍ଥୀ ବୋଲି ବହୁ ସଦସ୍ୟ କ୍ଷୋଭର ସହ ଏହା କହିଛନ୍ତି। ୧୯୮୦ ମସିହା ପରଠାରୁ ଜିଲା କ୍ରୀଡା ସଂସ୍ଥାରେ ନୂତନ ସଦସ୍ୟ ଗ୍ରହଣ କରାଯାଇ ନଥିବାବେଳେ ସଂସ୍ଥାର ସମ୍ବିଧାନ ଅନୁଯାୟୀ କାଉନସିଲ ବୈଠକ ମଧ୍ୟ ଅନୁଷ୍ଠିତ ହେଉନାହିଁ ବୋଲି ଉପସଭାପତି ସୁରେଶ ପଟ୍ଟନାୟକ ଖୋଲାଖୋଲି ଅଭିଯୋଗ କରି ଆସୁଛନ୍ତି। କେବଳ ସେତିକିନୁହେଁ, ସଂସ୍ଥା କର୍ମକର୍ତ୍ତାଙ୍କ ଅବଧି ମେ’ ୨୦୨୦ରୁ ଶେଷ ହୋଇଥିଲେ ହେଁ ବିଭିନ୍ନ ଆଳ ଦେଖାଇ ନିର୍ବାଚନକୁ ଜାଣିଶୁଣି ଏଡାଇଯିବା, ଖୋଦ୍‌‌ ଜିଲାପାଳ ସଂସ୍ଥାର ସଭାପତି ଥିବାସତ୍ତ୍ବେ ଆଜକୁ ଦୀର୍ଘ ୮ବର୍ଷ ଧରି ସଂସ୍ଥାର କାଉନସିଲ ବୈଠକ ଅନୁଷ୍ଠିତ ନହେବା କାରଣରୁ ସମ୍ପାଦକ ନିଜ ଇଛା ମୁତାବକ ସମସ୍ତ କାର୍ଯ୍ୟ ତୁଲାଉଥିବା ଉପସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଆସିଛନ୍ତି। ଏଭଳି ସ୍ଥିତିରେ ଜିଲାରେ କ୍ରୀଡା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବାକୁ ହେଲେ ଅବଧି ଶେଷ ହୋଇଥିବା ସଂସ୍ଥା କାଉନସିଲକୁ ଭଙ୍ଗ କରି ତୁରନ୍ତ ନିର୍ବାଚନ ପାଇଁ ଜିଲାପାଳ ତଥା ସଂସ୍ଥାର ସଭାପତି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Comments are closed.