ଡିସେମ୍ବର ୧୮ରୁ ଗୋନାସିକା କେନ୍ଦୁଝର ମହୋତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌‌ଘାଟନ

କେନ୍ଦୁଝରଗଡ଼ :ଗୋନାସିକା କେନ୍ଦୁଝର ମହୋତ୍ସବ ଓ ଆଞ୍ଚଳିକ ସରସ ମେଳା-୨୦୨୪ ନିମନ୍ତେ ଜିଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ଗୋନାସିକା ମହୋତ୍ସବ ଏବଂ ଡିସେମ୍ବର ୧୮ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୦ଦିନବ୍ୟାପୀ କାଳିପଡ଼ିଆରେ ଆଞ୍ଚଳିକ ସରସ ମେଳା ଆୟୋଜିତ ହେବ। ଡିସେମ୍ବର ୧୮ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ସରସ ମେଳା ଏବଂ ପରେ ଗୋନାସିକା କେନ୍ଦୁଝର ମହୋତ୍ସବର ଶୁଭ ଉଦଘାଟନ କରିବା ଚୂଡାନ୍ତ ହୋଇଛି।

ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ତୃତୀୟ ସନ୍ଧ୍ୟାରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଚତୁର୍ଥ ସନ୍ଧ୍ୟାରେ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେବେ ବୋଲି ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂହ ଶୁକ୍ରବାର ଦରବାରହଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଏଥିସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦୁଝରର କଳାକାର ମାନଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲା, ରାଜ୍ୟ ଓ ରାଜ୍ୟ ବାହାରର ପ୍ରସିଦ୍ଧ କଳାକାର କଳାଭିନୟ ପ୍ରଦର୍ଶନ କରିବାକୁ ସ୍ଥିତରୀକୃତ ହୋଇଥିବା ବେଳେ ନନ୍ଦୀ ସିଷ୍ଟର୍ସ, ଅନନ୍ୟା ପାଲ ଓ ନକାସ ଅଜିଜଙ୍କ ଭଳି ପ୍ରମୁଖ ବଲିଉଡ ଜଗତର କଳାକାର ନିଜ କଳା ନୈପୁଣ୍ୟ ପ୍ରଦର୍ଶନ ପୂର୍ବକ ୫ଦିନବ୍ୟାପୀ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବେ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଥିଲେ। ସେହିପରି ଓରମାସ ସହଯୋଗରେ କାଳିପଡ଼ିଆରେ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ ସରସ ମେଳାରେ ୩୦୦ଷ୍ଟଲରେ ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ପ୍ରାଧାନ୍ୟ ଦିଆଯାଇଛି।

ଖାଦ୍ୟ ଓ ପୁସ୍ତକ ମେଳାର ମଧ୍ୟ ବ୍ୟବସ୍ଥା କରାଯାଇ ସବୁବର୍ଗର ରୁଚିକୁ ଧ୍ୟାନ ଦିଆଯାଇଛି। ପଡ଼ିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ପଡ଼ିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଥିଲେ। ଏହି ଅବସରରେ ଗୋନାସିକା କେନ୍ଦୁଝର ମହୋତ୍ସବର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଉଭୟ ଗୋନାସିକା ଓ ଆଞ୍ଚଳିକ ସରସ ମେଳାରେ ବହୁ ସଂଖ୍ୟାରେ ଯୋଗଦେଇ କଳାକାର ଓ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହ କଳା ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ନିମନ୍ତେ ଉଦ୍ଦିଷ୍ଟ ଏହି ଉତ୍ସବକୁ ସଫଳ କରିବା ପାଇଁ ଜିଲାପାଳ ଶ୍ରୀ ସିଂହ ଜିଲାବାସୀଙ୍କୁ ନିବେଦନ କରିଛନ୍ତି।

Comments are closed.