ବିଜେଡିରୁ ତେଲକୋଇ ବିଧାୟକଙ୍କ ଇସ୍ତଫା, ଧନୁର୍ଜୟଙ୍କ ରାସ୍ତା ସଫା

କେନ୍ଦୁଝରଗଡ଼: ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ କେନ୍ଦୁଝର ଓ ରାଜ୍ୟ ରାଜନୀତି ବେଶ୍‌‌ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରଥମେ ୨୦୦୯ ଏବଂ ପରେ ୨୦୧୯ ନିର୍ବାଚନରେ ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହେବା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ତେଲକୋଇରୁ ପ୍ରଥମ ବିଧାୟକ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ବିଜେଡିର ଯୁବ ନେତା ଇଂ ପ୍ରେମାନନ୍ଦ ନାୟକ ୧୨ ଅକ୍ଟୋବର ୨୦୨୩ରୁ ବିଜେଡି ପ୍ରାଥମିକ ସଦସ୍ୟ ପକ୍ଷରୁ ଇସ୍ତଫା ଦେଇଥିବା ନେଇ ଏକ ଧାଡିକିଆ ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇବା ପରେ ଶୁକ୍ରବାର ଏହା ପ୍ରଥମଥର ପାଇଁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ଭାଇରାଲ ହେବାରେ ଲାଗିଥିଲା। ୩ବର୍ଷ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ ପରେ ଇଂ ଶ୍ରୀ ନାୟକଙ୍କୁ ପ୍ରଥମେ ମନ୍ତ୍ରୀମଣ୍ଡଳରୁ ବାଦ୍‌‌ ଦେବା ଏବଂ ପରବର୍ତ୍ତୀ ସମୟରେ ୨୦୧୯ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁଙ୍କୁ ବିଜେଡିରେ ସାମିଲ କରିବା ପରଠାରୁ ପ୍ରେମାନନ୍ଦ ଦଳରେ ଏକପ୍ରକାର କୋଣଠେସା ହୋଇ ରହୁଥିବା ଦେଖିବାକୁ ମିଳୁଥିଲା।

prayash

ଫଳସ୍ୱରୂପ ଆଜକୁ ପ୍ରାୟ ବର୍ଷାଧିକ କାଳ ପ୍ରେମାନନ୍ଦଙ୍କୁ କୌଣସି ଦଳୀୟ ସଭାସମିତି କିମ୍ବା ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଉପସ୍ଥିତ ନରହିବା ତେଲକୋଇ ବିଜେଡିରେ ସବୁକିଛି ଠିକ୍‌‌ଠାକ୍‌‌ ଚାଲିନାହିଁ ତାହା କେତେକାଂଶରେ ବାରି ହୋଇପଡୁଥିଲା। କିଛିଦିନ ପରେ ୨୦୨୪ ସାଧାରଣ ନିର୍ବାଚନୀ ବିଗୁଲ ବାଜିବାକୁ ଥିବାବେଳେ ଏହି ସମୟରେ ପ୍ରେମାନନ୍ଦଙ୍କ ବିଜେଡିରୁ ଇସ୍ତଫା ଜିଲା ବିଜେଡିରେ ଯେତିକି ହୃତସ୍ପନ୍ଦନ ସୃଷ୍ଟି କରିନାହିଁ ତା’ଠାରୁ ଅଧିକ ଜିଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅବଶ୍ୟ ଗତ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ଧନୁର୍ଜୟ ସିଦ୍ଦୁ ସ୍ୱଳ୍ପ ଭୋଟ ବ୍ୟବଧାନରେ ହାରିବା ପରେ ବିଜେଡିରେ ଯୋଗଦେଇ ୨୦୨୪ ନିର୍ବାଚନ ପାଇଁ ତେଲକୋଇରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବୀତା ନେଇ ଦଳୀୟ ସଭାସମିତିରେ ତାଙ୍କର ଉପସ୍ଥିତି ଏବଂ ଜିଲା ବିଜେଡି ନେତାଙ୍କ ସହ ତାଙ୍କର ସମ୍ପୃକ୍ତି ପ୍ରୋମନନ୍ଦଙ୍କ ଇସ୍ତଫା ପରେ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାପାଇଁ ଧନୁର୍ଜୟଙ୍କ ରାସ୍ତା ସଫା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ଚମ୍ପୁଆ ନିର୍ବାଚନମଣ୍ଡଳୀ ଭଦ୍ରାସାହି ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଚମ୍ପୁଆ ନିର୍ବାଚନମଣ୍ଡଳୀ ୨୦୦୯ ନିର୍ବାଚନଠାରୁ ଚମ୍ପୁଆ ନିର୍ବାଚନମଣ୍ଡଳୀ ଅଣସଂରକ୍ଷିତ ହେବାପରେ ଧନୁର୍ଜୟ ତେଲକୋଇରୁ ୨୦୧୪ରେ ପ୍ରଥମେ କଂଗ୍ରେସରୁ ଏବଂ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନରେ ଧର୍ନୁଜୟ ଯଦି ବିଜେଡିରୁ ପ୍ରାର୍ଥୀ ହୁଅନ୍ତି ତାହାଲେ କ୍ରମାଗତ ଦଳ ପରିବର୍ତ୍ତନ କରୁଥିବା ଏହି ନେତାଙ୍କୁ ତେଲକୋଇବାସୀ କିଭଳି ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ଏବେଠାରୁ ଆଲୋଚନା ଜୋର ଧରିଛି।

ଅପରପକ୍ଷରେ ବିଧାୟକ ଶ୍ରୀ ନାୟକ ୨୦୦୯ରେ ବିଜୟୀ ସତ୍ତ୍ବେ ୨୦୧୪ରେ ଦଳ ତାଙ୍କୁ ପ୍ରାର୍ଥୀ କରିନଥିବା ବେଳେ ୨୦୧୯ ନିର୍ବାଚନରେ ଦଳ ପୁଣିଥରେ ତାଙ୍କୁ ଆସ୍ଥାପ୍ରକଟ କରି ପ୍ରାର୍ଥୀ କରି ବିଜୟୀ କରିବା ସହ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ମଧ୍ୟ ଆଗାମୀ ୨୦୨୪ ନିର୍ବାଚନରେ ସେ ଅନ୍ୟ କେଉଁ ଦଳରୁ ପ୍ରତିଦ୍ୱନ୍ଦିତା କରିବେ ନା ତାଙ୍କର ଭୂମିକା କ’ଣ ରହିବ ସେ ନେଇ ପ୍ରମୁଖ ରାଜନୈତିକ ଦଳର ଏହି ନେତାଙ୍କ ଉପରେ କଡା ନଜର ରହିଛି।

Comments are closed.