କେନ୍ଦୁଝର ସଦର ବିଧାନସଭା: ଅଭିଜ୍ଞ ମୋହନଙ୍କୁ ଟକ୍କର ଦେବେ ଦୁଇ ନବାଗତା

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ଝୁମ୍ପୁରା ବ୍ଲକର ୧୨ଟି ଓ ବାଂଶପାଳ ବ୍ଲକର ୫ଟି ପଞ୍ଚାୟତକୁ ମିଶାଇ ମୋଟ ୨୮୩ଟି ବୁଥ୍‌‌କୁ ନେଇ ଗଠିତ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଜିଲା ମୁଖ୍ୟାଳୟର ଏହି ଆସନ ୩ ପ୍ରମୁଖ ଦଳ ପାଇଁ ସମ୍ମାନଜନକ ହୋଇଥିବାରୁ ଏହି ଆସନକୁ କଳେବଳେ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି। ଖଣି ଓ ଶିଳ୍ପରେ ଭରପୁର, ଅଥଚ ଦାରିଦ୍ର୍ୟ ଓ କୁପୋଷଣର ଶିକାର ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ନିଶ୍ଚିତ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏହି ଆସନରେ ବିଜେପିର ଅଭିଜ୍ଞ ମୋହନ ଚରଣ ମାଝୀଙ୍କୁ ଦୁଇ ନବାଗତା ବିଜେଡିରୁ ମୀନା ମାଝୀ ଓ କଂଗ୍ରେସରୁ ପ୍ରତିଭା ମଞ୍ଜରୀ ନାଏକ କଡ଼ା ଟକ୍କର ଦେବାକୁ ଯାଉଛନ୍ତି।

ବିଧାୟକ ମୋହନ କ୍ରମାଗତ ଭାବେ ଷଷ୍ଠଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହାପୂର୍ବରୁ ସେ ଏହି ଆସନରୁ ୩ଥର ବିଜୟୀ ହୋଇ ୨୦୦୯ ଓ ୨୦୧୪ରେ ପରାଜୟର ସାମ୍ନା କରିଥିଲେ। ଶ୍ରୀ ମାଝୀ ଗତ ବିଧାନସଭାରେ ବିରୋଧି ଦଳ ମୁଖ୍ୟ ସଚେତକ ଭଳି ଗୁରୁ ଦାୟିତ୍ୱ ତୁଲାଇଥିବାବେଳେ ଗତ ୨୪ବର୍ଷର ବିଜେଡି ଶାସନରେ କେନ୍ଦୁଝରର ଆଦୌ ବିକାଶ ହୋଇ ନ ଥିବା କହି ନିଜର ପ୍ରଚାର ଅଭିଯାନକୁ ଆରମ୍ଭ କରିଛନ୍ତି। କେନ୍ଦ୍ରର ସରକାରଙ୍କ ମଞ୍ଜୁରୀ ସତ୍ତ୍ବେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଜିଲାରେ ବହୁ ପ୍ରତୀକ୍ଷିତ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇ ନ ପାରିବାରୁ ଶିକ୍ଷିତ ବେକାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବା ଏବଂ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ମାତ୍ର ୧୧୨୪ ଭୋଟରେ ପରାସ୍ତ ହୋଇଥିବାରୁ ମୋହନଙ୍କୁ ଚେକ୍‌‌ ଦେବାପାଇଁ ବିଜେଡି ଏଥର ମହିଳା କାର୍ଡ ଖେଳିଛି। ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଗତ ନିର୍ବାଚନର ତୃଟିକୁ ସୁଧାରିବା ସହ ସଠିକ୍‌‌ ପରିଚାଳନା ପାଇଁ ବିଜେଡି ନୂତନ ରଣନୀତି ଆପଣାଇ କେନ୍ଦୁଝରଗଡ଼ ପୌରପାଳିକାର ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି। କ୍ରମାଗତ ଭାବେ ବିଜେଡି ୪ଥର ପ୍ରାର୍ଥୀ ବଦଳାଇବା ସହ କେନ୍ଦୁଝରରେ ମେଡିକାଲ କଲେଜ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଗରୀବ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଜନହିତକର ଯୋଜନାକୁ ପ୍ରସଙ୍ଗ କରି ମୀନା ମାଝୀ ଭୋଟରଙ୍କ ନିକଟରେ ନିଜ ସପକ୍ଷରେ ଭୋଟ ଭିକ୍ଷା ଆରମ୍ଭ କରିଛନ୍ତି।

ଏହି ଆସନରୁ କଂଗ୍ରେସ ମାତ୍ର ଥରୁଟିଏ ବିଜୟ ଲାଭ କରିଥିବାବେଳେ ଦଳ ଏଥର ମହିଳା କାର୍ଡ ଖେଳି ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକଙ୍କ ପତ୍ନୀ ତଥା ଝୁମ୍ପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଓ ପୂର୍ବତନ ଜିଲାପରିଷଦ ସଦସ୍ୟା ପ୍ରତିଭା ମଞ୍ଜରୀ ନାଏକଙ୍କୁ ପ୍ରାର୍ଥୀ କରି ବିଜୟ ଆଶା ବାନ୍ଧିଛି। ପ୍ରତିଭା ଜଣେ ତୃଣମୂଳସ୍ତରର ନେତ୍ରୀ ହୋଇଥିବାବେଳେ ତାଙ୍କ ସ୍ୱାମୀ ସୁବର୍ଣ୍ଣ ମଧ୍ୟ ଏହି ଆସନରୁ ଶାସକ ବିଜେଡିରୁ ଲଢ଼ି ୨୦୦୯ରେ ବିଧାୟକ ଭାବେ ବିଜୟ ହୋଇଥିବାରୁ ନିର୍ବାଚନମଣ୍ଡଳୀରେ ଉଭୟ ପତୀ ଓ ପତ୍ନୀଙ୍କ ଥିବା ଲୋକପ୍ରିୟତାକୁ ଆଧାର କରି କଂଗ୍ରେସ ଏଥର ଏହି ଆସନରୁ ବିଜୟ ହେବାନେଇ ଲକ୍ଷ୍ୟ ରଖିଛି। ଚଳିତଥର ଏହି ନିର୍ବାଚନରେ ଅଭିଜ୍ଞ ମୋହନଙ୍କୁ ତୃଣମୂଳସ୍ତରର ଏହି ଦୁଇ ନେତ୍ରୀ କଡ଼ା ଟକ୍କର ଦେବାସହ ତ୍ରିକୋଣୀୟ ମୁକାବିଲା ହେବାନେଇ ଏବେଠାରୁ ଭୋଟରଙ୍କ ମହଲରେ ଉତ୍ସୁକତା ଦେଖାଦେଇଛି।

Comments are closed.