ନେତାଜୀଙ୍କ ସଭାକୁ ନେଇ ସ୍କୁଲ ପଡ଼ିଆରେ ଦୁଇଗୋଷ୍ଠୀ ମୁହାଁମୁହିଁ : ୧୪୪ ଜାରି, ଆଜି କେନ୍ଦ୍ରାପଡ଼ା ବନ୍ଦ

0

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ କେନ୍ଦ୍ରକରି ବୁଧବାର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଏବେ ଶାନ୍ତ ପଡିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ସହରରେ ଶାନ୍ତି ବଜାୟ ରଖିବା ଓ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ଲାଗି ସହରରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନକୁ ଆସନ୍ତାକାଲି ( ଗୁରୁବାର)  ବନ୍ଦ ରଖିବା ଲାଗି ଛୁଟି ଘୋଷଣା କରାଯାଇଛି। ସହରରେ ୬ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ସହ ୪ଟି ମୋବାଇଲ ପାଟ୍ରୋଲିଂ ଦଳ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ବିଶେଷକରି କେନ୍ଦ୍ରାପଡ଼ା ପୁରୁଣା ଓ ନୂଆ ବସ୍‍ଷ୍ଟାଣ୍ଡ ସହ ତିନିମୁହାଁଣି ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପରିକି ସହରରେ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ଶୁଣାଯାଉଛି। ଏହି ବିବାଦର ସମାଧାନ ଲାଗି ଶାନ୍ତି କମିଟି ବୈଠକ ଡକାଯାଇଛି। ଅନ୍ୟପକ୍ଷରେ ସଭାକୁ ଭଣ୍ଡୁର କରାଯାଇଥିବା ପ୍ରତିବାଦରେ ଆରଏସ୍‍ଏସ୍‍, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଆସନ୍ତାକାଲି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ମହାନ ଦେଶଭକ୍ତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବୁଧବାର ଅପରାହ୍ନ ୨ଟା୩୦ ମିନିଟ୍‍ରେ ସହର ପରିକ୍ରମା କରି ଏକ ସାଧାରଣ ବୈଠକ ଲାଗି କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପଡିଆରେ ପହଞ୍ଚିଥିଲା। ସଂଘର ଜିଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ପଡିଆରେ ପହଞ୍ଚିବା ପରେ ଅନ୍ୟ ଏକ ଗୋଷ୍ଠୀର ଶତାଧିକ ଯୁବକ ଆଗରୁ ପଡିଆ ଭିତରେ ପ୍ରବେଶ କରି ଏହି ସଭାକୁ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲା ପୁଲିସ ପ୍ରଶାସନ ସହିତ ସଂଘ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଘଣ୍ଟାଏକାଳ ଆଲୋଚନା ହୋଇଥିଲେ ସୁଦ୍ଧା ଜିଲା ଆରକ୍ଷୀ ଅଧିକ୍ଷକ ସଂଘ କାର୍ଯ୍ୟକର୍ତ୍ତାମାନଙ୍କୁ ପଡିଆ ଭିତରକୁ ଛାଡ଼ି ନଥିଲେ ଓ ସଭା ଲାଗି ଅନୁମତି ଦେଇ ନଥିଲେ। ଶେଷରେ ସଂଘର କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ଏକ ପଥପ୍ରାନ୍ତ ସଭାକରି ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ସମ୍ପର୍କରେ ଭାଷଣ ଦେଇଥିଲେ। ସେହି ପଥପ୍ରାନ୍ତ ସଭାରେ ଓଡିଶା ପୂର୍ବ ଜୋନ୍‍ର ସହପ୍ରାନ୍ତ କାର୍ଯ୍ୟକର୍ତ୍ତା ସୁଦର୍ଶନ ଦାସ ଏବଂ ଜିଲା ସଂଘ ଚାଳକ ନିହାର ରଞ୍ଜନ ପଣ୍ଡା ଅଭିଭାଷଣ ଦେଇଥିଲେ। ସଂଘର କାର୍ଯ୍ୟକର୍ତ୍ତା ପଡିଆ ପାଖରୁ ହଟିଆସିବା ପରେ ସେହି ପଡିଆକୁ ଦଖଲ କରିଥିବା ଅନ୍ୟ ଗୋଷ୍ଠୀର ଯୁବକମାନେ ପୁଲିସ ନିର୍ଦ୍ଦେଶରେ ପଡିଆ ଛାଡ଼ିଥିଲେ।
ଏ ସମ୍ପର୍କରେ ଜିଲାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଷ୍ଣୁ ଦାସ ଏବଂ ଜ୍ଞାନ ବେଉରାଙ୍କ ପ୍ରତିକ୍ରିିୟାରେ କହିଛନ୍ତି ଯେ, ସହର ପରିକ୍ରମା କରୁଥିବା ଶୋଭାଯାତ୍ରା ସହିତ ପୁଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀଗଣ ଥିଲେ। ଯଦି ନେତାଜୀଙ୍କ ଜୟନ୍ତୀସଭାକୁ ଭଣ୍ଡୁର କରିବାର ଥିଲା ତେବେ ପୁଲିସ ଆମ ସଂଘକୁ ସକାଳୁ ଏ ସମ୍ପର୍କରେ ଅବଗତ କରାଇବାର ଥିଲା; କିନ୍ତୁ ଶୋଭାଯାତ୍ରାକୁ ସୁରକ୍ଷା ଦେଇ ଆମ ଆଗେ ଆଗେ ଯାଉଥିବା ପୁଲିସ ପଡିଆରେ ପହଞ୍ଚିବା ପୂର୍ବରୁ ଆମକୁ ପଡିଆ ଭିତରକୁ ନ ଛାଡି ଆମ ସଭାକୁ ଭଣ୍ଡୁର କରିବାର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନର ଉତ୍ତର ପୁଲିସ ପାଖରେ ନଥିଲା। ନିର୍ବାଚନକୁ ଆଖି ଆଗରେ ରଖି ଜିଲା ପୁଲିସ ଉପର ନିର୍ଦ୍ଦେଶରେ ସଂଘ ପରିବାରକୁ ହଟହଟା କରିଥିବା ସଂଘ ମନ୍ତବ୍ୟ ରଖଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଘଟଣାସ୍ଥଳରେ ଥିବା ଉପଜିଲାପାଳ ସଂଜୟକୁମାର ମିଶ୍ର କହିଛନ୍ତି ଯେ, ସହରରେ ମୁଖ୍ୟତଃ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ସଭା କରିବାକୁ ଜିଲା ପ୍ରଶାସନଠାରୁ ସଂଘ ଅନୁମତି ନେଇ ନଥିଲା। ଏହାବ୍ୟତୀତ ସଭାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ସଭା ଲାଗି ପ୍ରଶାସନ ଅନୁମତି ନଦେବା ସହ ସହରରେ ୧୪୪ଧାରା ଜାରି କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏବଂ ଜିଲା ପ୍ରଶାସନର ଏହି ଏକପାଖିଆ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆସନ୍ତାକାଲି ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯାଇଛି। ଆଜି ସନ୍ଧ୍ୟାରେ ବଜରଙ୍ଗ ଦଳ,ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କାର୍ଯ୍ୟକର୍ତ୍ତାମାନେ ସହରରେ ବୁଲି ବନ୍ଦ ଡାକରାକୁ ସଫଳ କରିବାରେ ଜନ ସାଧାରଣଙ୍କ ସହଯୋଗ ଲୋଡିଛନ୍ତି। ତେବେ ସହରରେ ସ୍ଥିତି ଏବେ ଶାନ୍ତ ରହିଛି।

Leave A Reply