କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତି ମହିଳା
କାଶୀପୁର: ରାୟଗଡ ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଥିବାବେଳେ ପ୍ରଶାସନର ଆନ୍ତରିକତା ଅଭାବରୁ ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣା ଫର୍ଦ ଯୋଡିହେଉଛି। ଶୁକ୍ରବାର ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଝିରିଖୋଲ ଗ୍ରାମରେ। ଝିରିଖୋଲ ଗ୍ରାମର ସନ୍ତୋଷ ଝୋଡିଆଙ୍କ ସ୍ତ୍ରୀ ଲିଲି ଝୋଡିଆ ଆଜି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଲିଲି ଝୋଡିଆଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସକୁ ଯୋଗାଯାଗ କରିଯାଇଥିଲା।
ଆମ୍ବୁଲେନ୍ସ ଆସିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ପହଞ୍ଚି ପାରିନଥିଲା। କାରଣ ଗ୍ରାମକୁ ପକ୍କା ରାସ୍ତା ନଥିଲା। ଯାହା ଫଳରେ ଗାଁଠୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ଗର୍ଭବତି ମହିଳାଙ୍କୁ ଆମ୍ବୁଲାନ୍ସ ଚାଳକଙ୍କ ସହ ପରିବାର ଲୋକେ ଖଟିଆରେ ବୋହି ଆଣିଥିଲେ। ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଠିକ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଏଭଳି ଘଟଣା କାଶୀପୁର ବ୍ଲକରେ ବାରମ୍ବାର ଘଟୁଥିବାରୁ ଜିଲା ପ୍ରଶାସନ ହସ୍ତକ୍ଷେପ କରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ବାଇକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣ ମହଲରେ ଦାବି ହେଉଛି।
Comments are closed.