କାଶୀରେ ଶବ ସତ୍କାର ପାଇଁ ଆଧାର ବାଧ୍ୟତାମୂଳକ

0

ବାରାଣାସୀ : ମୋକ୍ଷ ନଗରୀ ଭାବେ ପ୍ରସିଦ୍ଧ କାଶୀରେ ଶବ ସତ୍କାର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। କାଶୀରେ ଶବ ସତ୍କାର କଲେ ମୃତକ ସିଧା ସ୍ୱର୍ଗ ଲାଭ କରିଥାଏ ବୋଲି ହିନ୍ଦୁ ଧର୍ମାବଳମ୍ବୀଙ୍କ ବିଶ୍ୱାସ ରହିଛି। କାଶୀର ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟରେ ଅନ୍ତିମ ସତ୍କାର ପାଇଁ ପ୍ରଶାସନ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଛି। ଏନଡିଆରଏଫ ସହଯୋଗରେ କାଶୀରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ମୃତକଙ୍କ ଆଧାର କାର୍ଡ ଦେଖାଇବା ପରେ ହିଁ ଶବ ସତ୍କାର କରାଯିବ। ଉଲ୍ଲେଖ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିକର୍ଣ୍ଣିକା ଘାଟର ବିକାଶ ନିମନ୍ତେ ଆଗ୍ରହ ଦେଖାଇଥିଲେ। ଏହାପରେ ଗୁଜରାଟ ସ୍ୱେଚ୍ଛାସେବୀ ସଂଗଠନ ସୁଧାଂଶୁ ମେହେଟା ଫାଉଣ୍ଡେସନ୍‍ ପ୍ରଥମ ଶବବାହୀ ଯନ୍ତ୍ରଚାଳିତ ଡଙ୍ଗା (ଷ୍ଟିମ୍‍ର) ୨୦୧୫ ମାର୍ଚ୍ଚ ୨୮ରେ ପ୍ରଦାନ କରିଥିଲା। ଏବେ ସେଠାରେ ୪ଟି ଶବବାହୀ ଷ୍ଟିମ୍‍ର ରହିଛି। ବହୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଶବ ସତ୍କାର ପାଇଁ ଆସୁଛନ୍ତି। ସେହିପରି ପାଖଆଖ ଲୋକ ବି ଏଠାକୁ ଶବ ନେଇ ଆସୁଛନ୍ତି। କେତେକ କ୍ଷେତ୍ରରେ ଲୋକେ ମୃତକଙ୍କ ପରିଚୟ ଦେଇପାରୁନାହାନ୍ତି ଓ ପାଟିତୁଣ୍ଡ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କାଶୀରେ ଶବଦାହ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ପ୍ରକାଶ ଯେ ହରିୟାଣା ଏବଂ ଫରିଦାବାଦରେ ମଧ୍ୟ ଅନ୍ତିମ ସତ୍କାର ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply