କରତାରପୁର କରିଡର ଆଲୋଚନା ପାଇଁ ୧୪ରେ ଭାରତ ଆସିବେ ପାକିସ୍ତାନ ପ୍ରତିନିଧି
ନୂଆଦିଲ୍ଲୀ: କରତାରପୁର କରିଡର ପ୍ରସଙ୍ଗରେ ଆଲୋଚନା ପାଇଁ ମାର୍ଚ୍ଚ ୧୪ରେ ପାକିସ୍ତାନ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିବେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ପାକିସ୍ତାନ ବାଲାକୋଟରେ ଭାରତ ବାୟୁସେନାର ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ କରତାରପୁର କରିଡର ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ପଞ୍ଜାବର ବାବା ନାନକ ଗ୍ରାମ ସହିତ ପାକିସ୍ତାନ ନରେୱାଲର ଗୁରୁଦ୍ବାର ଦରବାର ସାହିବକୁ ସଂଯୋଗ କରୁଥିବା ଏହି କରିଡରରେ ତୀର୍ଥଯାତ୍ରୀଙ୍କ ଗମନାଗମନ ବାବଦ ବିଧି ବ୍ୟବସ୍ଥା ପ୍ରସଙ୍ଗରେ ଦୁଇପକ୍ଷ ଆଲୋଚନା କରିବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଗୁରୁଦ୍ବାରକୁ ବିନା ଭିସାରେ ଯାତ୍ରା ସୁବିଧା ଲାଗି ଦାବି କରିଛନ୍ତି। ଏପରିକି ଯେକୌଣସି ଧର୍ମର ଲୋକଙ୍କୁ ଏହି ଯାତ୍ରା ସୁବିଧା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।