ବିଳମ୍ବିତ ହେଉଛି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ

0

ବେଙ୍ଗାଲୁରୁ : ଜେଡିଏସ୍‍ ନେତା ଏଚ ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବାର ଏକ ସପ୍ତାହ ବିତିଯାଇଥିବାବେଳେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରୁ ନାହିଁ। ମେଣ୍ଟ ସରକାରର ଦୁଇ ଦଳ କଂଗ୍ରେସ ଓ ଜେଡିଏସ୍‍ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ବିବାଦ ଦେଖାଯାଇଛି। କେଉଁ ଦଳ ପାଖରେ କେଉଁ ବିଭାଗ ରହିବ ତାକୁ ନେଇ ଟଣାଓଟରା ଚାଲିଛି। ଶକ୍ତି, ଅର୍ଥ, ନଗରଉନ୍ନୟନ, ରାଜସ୍ୱ, ଗୃହ ବିଭାଗକୁ ନେଇ ଦୁଇ ଦଳରେ ଟଣାଓଟରା ଚାଲିଛି। ବିଭାଗ ବଣ୍ଟନ ଅଡୁଆ ଛିଡୁ ନଥିବାରୁ ମନ୍ତ୍ରିମଣ୍ଡଳ ଗଠନ ହୋଇପାରୁ ନାହିଁ। ସରକାର କହିଲେ ଏବେ କେବଳ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କୁ ବୁଝାଉଛି। ବିଭାଗ ବଣ୍ଟନ ବିବାଦକୁ ନେଇ ରବିବାର କୁମାରସ୍ୱାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିବାବେଳେ ଏହା ସମାଧାନର ସୂତ୍ର ବାହାର କରିପାରି ନଥିଲା। କଥାବାର୍ତ୍ତା ଅଧାରୁ ରାହୁଲ ତାଙ୍କ ମା’ଙ୍କ ସହିତ ବିଦେଶ ଗସ୍ତରେ ଚାଲିଯାଇଥିଲେ। ରାହୁଲ ଓ ସୋନିଆ ବିଦେଶରୁ ଫେରିବା ପରେ ମନ୍ତ୍ରିମଣ୍ଡଳ ଗଠନ ବାବଦରେ ନିଷ୍ପତ୍ତି ନିଆଯିବ। ରାହୁଲଙ୍କୁ ସାକ୍ଷାତ ପରେ କୁମାରସ୍ୱାମୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସାକ୍ଷାତ କାଳରେ କୁମାରସ୍ୱାମୀଙ୍କୁ ମନ୍ତ୍ରିମଣ୍ଡଳ ଗଠନ ବାବଦରେ ମୋଦୀ କେତେକ ପରାମର୍ଶ ଦେଇଥିଲେ। ମୋଦୀଙ୍କ ଏହି ପରାମର୍ଶ ଆଧାରରେ କୁମାରସ୍ୱାମୀ ଏବେ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରିବାର ସମ୍ଭାବନା ରହିଛି। ମୋଦୀଙ୍କୁ ସାକ୍ଷାତ ପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସରକାରର ଗୁରୁତ୍ୱପୂର୍ଣ୍ଣ ବିଭାଗ ବଣ୍ଟନ ବାବଦରେ ପ୍ରଧାନମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ ଏହି ପରାମର୍ଶକୁ ସେ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି।
ମନ୍ତ୍ରିମଣ୍ଡଳ ଗଠନ ବିଳମ୍ବିତ ହେବାକୁ ନେଇ ବିରୋଧୀ ବିଜେପି ରାଜ୍ୟର ମେଣ୍ଟ ସରକାରକୁ ସମାଲୋଚନା କରିଛି। ମନ୍ତ୍ରିମଣ୍ଡଳ ଗଠନ ବିଳମ୍ବିତ ହେଉଥିବାରୁ ରାଜ୍ୟବାସୀ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। ନିକଟରେ କୁମାରସ୍ୱାମୀ କହିଥିଲେ ଯେ କର୍ଣ୍ଣାଟକ ସରକାର କଂଗ୍ରେସର ଦୟାରେ ଚାଲିଛି। ଆଉ କଂଗ୍ରେସ ଆଶୀର୍ବାଦରୁ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିର୍ବାଚନ ଇସ୍ତାହାରର ଘୋଷଣା ଅନୁଯାୟୀ କୃଷକଙ୍କ ଋଣ ଛାଡ କରିବାକୁ କୁମାରସ୍ୱାମୀଙ୍କ ଉପରେ ବିରୋଧୀ ବିଜେପି ଚାପ ପକାଇଛନ୍ତି। କୃଷକଙ୍କ ଋଣ ଛାଡ ପ୍ରସଙ୍ଗରେ କୁମାରସ୍ୱାମୀ କହିଛନ୍ତି ଯେ ସହଯୋଗୀ କଂଗ୍ରେସକୁ ଏ ପ୍ରସଙ୍ଗରେ ମନାଇବା ପରେ ଯାହା କିଛି ନିଷ୍ପତ୍ତି ନେବେ।

Leave A Reply