କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ସିଦ୍ଧରମୈୟା ବନାମ ୟେଦ୍ଦୁରାପ୍ପା
ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ୍ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ମେ’ ୨୮ରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ମେ’ ୧୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉଭୟ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। କାରଣ ବିଗତ ଦିନଗୁଡିକରେ ଆସାମ, ହରିୟାଣା, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଜେପି କଂଗ୍ରେସ ହାତରୁ ଶାସନ ଭାର ଛଡାଇ ନେଇଛି। କଂଗ୍ରେସ କେବଳ କର୍ଣ୍ଣାଟକ, ପଞ୍ଜାବ, ମିଜୋରାମ ଏବଂ ପୁଡୁଚେରୀରେ କ୍ଷମତାରେ ରହିଛି। ଏବେ ଏକମାତ୍ର ବଡ଼ ରାଜ୍ୟ ଭାବେ କର୍ଣ୍ଣାଟକ କଂଗ୍ରେସ ହାତରେ ରହିଛି। କିନ୍ତୁ ଏଠାରେ ମଧ୍ୟ ବିଜେପି କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଯତ୍ପରୋନାସ୍ତି ଉଦ୍ୟମ ଆରମ୍ଭ କରିଛି। ଏଣୁ କ୍ଷମତାକୁ ଆସିବାଲାଗି ଏହି ଦୁଇ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ କଂଗ୍ରେସ ପୁନଃ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି। ବିଜେପି ମଧ୍ୟ ବହୁ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦ୍ଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି। ନିଜ ନିଜ ଦଳ ନିମନ୍ତେ ପ୍ରଚାର ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି। ଏଠାରେ ବିଜୟଲାଭ କଲେ ବିଜେପି ଦକ୍ଷିଣରେ ପୁନଃ ପ୍ରବେଶ କରିବ। ଏହି ଉଦ୍ଦେଶ୍ୟରେ ବିଜେପି ୨୦୧୭ ନଭେମ୍ବରରୁ ରାଜ୍ୟରେ ପ୍ରଚାର କାର୍ଯ୍ୟ ଚଳାଇଛି। ଅନ୍ୟପଟେ ରାହୁଲ କଂଗ୍ରେସର ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ଏ ଦୃଷ୍ଟିରୁ ରାହୁଲଙ୍କ ପାଇଁ ଏହି ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡାଙ୍କ ଦଳ ଜେଡି(ଏସ୍)ର କିଛି ବିଦ୍ରୋହୀ ତଥା ପୂର୍ବତନ ବିଧାୟକ ଦୁଇ ଦିନ ପୂର୍ବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଫଳରେ କଂଗ୍ରେସର ପଲା କିଛିଟା ଭାରି ହୋଇଛି। ଏମାନେ ମାର୍ଚ୍ଚ ୨୩ରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ କ୍ରସ୍ ଭୋଟିଂ କରିବା ପରେ ବିଧାନସଭାରୁ ଇସ୍ତଫା ଦେଇଥିଲେ। ସୋମବାର ଏକ ବୈଠକରେ କଂଗ୍ରେସ ଏହାର ସମସ୍ତ ବିଧାୟକ ଏବଂ ସଦ୍ୟ ଦଳରେ ଯୋଗଦେଇଥିବା ସ୍ୱାଧୀନ ତଥା ଜେଡିଏସ୍ର ବିଦ୍ରୋହୀ ନେତାଙ୍କୁ ପ୍ରାର୍ଥୀ ଭାବେ ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି।
ଚଳିତଥର ଲିଙ୍ଗାୟତଙ୍କୁ ପୃଥକ୍ ସଂଖ୍ୟାଲଘୁ ଧର୍ମ ମାନ୍ୟତା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଏହି ସମ୍ପ୍ରଦାୟର ଭୋଟ ସଂଖ୍ୟା ରାଜ୍ୟର ମୋଟ ଜନ ସଂଖ୍ୟାର ୧୭%। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହି ସମ୍ପ୍ରଦାୟରୁ ୧୫% ଭୋଟ ପାଇଥିଲା। ଲିଙ୍ଗାୟତ ଏବଂ ବୀରଶୈବ ଲିଙ୍ଗାୟତଙ୍କୁ ପୃଥକ୍ ସଂଖ୍ୟାଲଘୁ ଧର୍ମ ମାନ୍ୟତା ଦେବା ଲାଗି ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିସାରିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ସର୍ବାଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ ଭାବେ ପରିଗଣିତ। ବିଶେଷକରି ବାଙ୍ଗାଲୋରରେ ଦୁର୍ନୀତି ମାତ୍ରା ବେଶୀ। ଏଣୁ ଦୁର୍ନୀତି ଓ ଜଳାଭାବ ସହିତ ବିଭିନ୍ନ ସମସ୍ୟାକୁ ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରସଙ୍ଗ କରିବେ। ୨୦୦୮ରେ ୟେଦ୍ଦୁରାପ୍ପାଙ୍କ ନେତୃତ୍ୱରେ ବିଜେପି କର୍ଣ୍ଣାଟକରେ ଏହାର ପ୍ରଥମ ସରକାର ଗଠନ କରିଥିଲା। ମାତ୍ର ବେଲାରୀ ଖଣି ଦୁର୍ନୀତିରେ ଛନ୍ଦି ହୋଇ ୟେଦ୍ଦୁରାପ୍ପାଙ୍କୁ ୨୦୧୧ ଅଗଷ୍ଟରେ ତାଙ୍କୁ କ୍ଷମତାରୁ ଓହରିବାକୁ ପଡିଥିଲା। ୟେଦ୍ଦୁରାପ୍ପାଙ୍କ ବିରୋଧରେ ଏହି ଦୁର୍ନୀତି ଅଭିଯୋଗକୁ କଂଗ୍ରେସ ମୁଖ୍ୟ ଅସ୍ତ୍ର କରିବାର ସମ୍ଭାବନା ରହିଛି।