କର୍ଣ୍ଣାଟକ ନିର୍ବାଚନ : ଚାମୁଣ୍ଡେଶ୍ୱରୀରୁ ଲଢିବେ ସିଦ୍ଧରମୈୟା, ବରୁଣାରେ ପୁଅ

0

ବେଙ୍ଗାଲୁରୁ : ଉଭୟ ବ୍ୟକ୍ତିଗତ ଏବଂ ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏହି କାରଣରୁ ସମସ୍ତ ରାଜନୈତିକ ରଣନୀତି ଆପଣାଇବାକୁ ସେ ଉଦ୍ୟମ କରୁଛନ୍ତି। ମହୀଶୂର ଗସ୍ତ କାଳରେ ସେ ଭୋଟରଙ୍କ ସମର୍ଥନ ହାସଲ ନିମନ୍ତେ ଭାବପ୍ରବଣତା ପୂର୍ଣ୍ଣ ନିବେଦନ କରିଛନ୍ତି। ୨୦୧୮ ବିଧାନସଭା ନିର୍ବାଚନ ତାଙ୍କ ରାଜନୈତିକ ଜୀବନର ଅନ୍ତିମ ନିର୍ବାଚନ ହେବ ବୋଲି ଏହି ଅବସରରେ ସେ ଘୋଷଣା କରିଛନ୍ତି। ଅବଶ୍ୟ ଏହାପରେ ସକ୍ରିୟ ରାଜନିତୀରୁ ଅବସର ନେବା ବିଷୟରେ ସେ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ ଏହି ନିର୍ବାଚନ ନିଜର ପାରମ୍ପରିକ ନିର୍ବାଚନମଣ୍ଡଳୀରୁ ଲଢିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ମହୀଶୂରର ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରୁ ସିଦ୍ଧରମୈୟା ପୂର୍ବରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୨୦୧୩ ବିଧାନସଭା ନିର୍ବାଚନରେ ଏହି ଜିଲା ଅନ୍ତର୍ଗତ ବରୁଣା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ଜିତିଥିଲେ। ଏଥର ବରୁଣାରୁ ତାଙ୍କ ପୁତ୍ର ଯତିନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି। ମହୀଶୂରଠାରେ ଜନସମାବେଶକୁ ସମ୍ବୋଧିତ କରିବା ବେଳେ ସିଦ୍ଧରମୈୟା ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବାର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି, ଏହି ନିର୍ବାଚନମଣ୍ଡଳୀରୁ ତାଙ୍କର ରାଜନୈତିକ ପୁନର୍ଜନ୍ମ ହୋଇଥିଲା। ଏଠାକାର ଭୋଟରଙ୍କୁ ସେ ଭଲ ଭାବେ ଜାଣନ୍ତି। ପୂର୍ବଭଳି ଏଥର ମଧ୍ୟ ଏଠାକାର ଭୋଟର ତାଙ୍କୁ ସମର୍ଥନ କରି ବିଜୟୀ କରାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସିଦ୍ଧରମୈୟାଙ୍କ ଏହି ଘୋଷଣା ପୂର୍ବରୁ ଚାମୁଣ୍ଡେଶ୍ୱରୀ ଆସନରୁ ନିର୍ବାଚନ ଲଢିବା ନିମନ୍ତେ ତାଙ୍କୁ ଜନତା ଦଳ (ନିରପେକ୍ଷ) ବା ଜେଡିଏସ୍‌ ମୁଖ୍ୟ ଏଚ୍‌. ଡି. କୁମାରସ୍ୱାମୀ ଚ୍ୟାଲେଞ୍ଜ କରିଥିଲେ। ଏପରିକି ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କଲେ ସିଦ୍ଧରମୈୟା ନିଶ୍ଚୟ ପରାଜିତ ହେବେ ବୋଲି ମଧ୍ୟ ସେ ଦୃଢୋକ୍ତି ବାଢିଥିଲେ। ସେ କହିଥିଲେ, ୨୦୦୬ରେ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ସିଦ୍ଧରମୈୟା କେବଳ ୨୫୭ ଭୋଟରେ ଜିତିଥିଲେ। ତାହା କେବଳ ଏଚ୍‌. ବିଶ୍ୱନାଥ ଏବଂ ଭି. ଶ୍ରୀନିବାସ ପ୍ରସାଦଙ୍କ ସମର୍ଥନ ଯୋଗୁ ସମ୍ଭବ ହୋଇଥିଲା। ଏହାର ଉତ୍ତରରେ ସିଦ୍ଧରମୈୟା କହିଛନ୍ତି, ଏହି ଆସନରୁ ୭ ଥର ପ୍ରଦ୍ୱନ୍ଦ୍ୱିତା କରି ସେ ୫ ଥର ଜିତିଛନ୍ତି। ଭୋଟ ବ୍ୟବଧାନ ଯାହା ହେଉ ନା କାହିଁକି ବିଜୟ, ସବୁବେଳେ ବିଜୟ। ସେହି ସମୟରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଏବଂ ୟେଦୁରାପ୍ପା ଉପମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ କୁମାରସ୍ୱାମୀଙ୍କ କଥା ଯଦି ଏହି ନିର୍ବାଚନମଣ୍ଡଳୀର ଭୋଟର ଶୁଣି ନ ଥିଲେ, ତା’ହେଲେ ଏବେ କାହିଁକି ଶୁଣିବେ ବୋଲି ମଧ୍ୟ ସିଦ୍ଧରମୈୟା କହିଛନ୍ତି।
୧୯୮୩ରେ ସିଦ୍ଧରମୈୟା ପ୍ରଥମଥର ଲାଗି ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ଏହି ଆସନରୁ ସେ ୬ଥର ନିର୍ବାଚନ ଲଢିଛନ୍ତି। ଅବଶ୍ୟ ୧୯୮୯ରେ ଜନତା ଦଳ ଏବଂ ୧୯୯୯ରେ ଜେଡିଏସ୍‌ର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କୁ ପରାଜିତ ହେବାକୁ ପଡିଥିଲା। ୨୦୦୬ରେ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡାଙ୍କ ସହିତ ମତାନ୍ତର କାରଣରୁ ତାଙ୍କୁ ଦଳରୁ ବହଷ୍କାର କରାଯାଇଥିଲା। ପରେ ସେ ଚାମୁଣ୍ଡେଶ୍ୱରୀ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ୍‌ ଟିକଟ୍‌ରେ ନିର୍ବାଚନ ଲଢି ସିଦ୍ଧରମୈୟା ୨୫୭ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ୨୦୦୮ ସୀମାନିର୍ଦ୍ଧାରଣ ପରେ ଏଠାକାର ବହୁ ଗ୍ରାମ ବରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନକୁ ଚାଲିଗଲା। ଏଣୁ ୨୦୦୮ ଏବଂ ୨୦୧୩ରେ ବରୁଣାରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚଳିତଥର ମୁଖ୍ୟମନ୍ତ୍ରୀ ନିଜ ପୁଅଙ୍କୁ ଏହି ଆସନରୁ ଛିଡା କରାଇବେ ବୋଲି କୁହାଯାଉଛି। ନିର୍ବାଚନମଣ୍ଡଳ ପରିବର୍ତ୍ତନ ନେଇ ସିଦ୍ଧରମୈୟାଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

Leave A Reply