ରାଜ୍ୟ ଦୋମୁହାଁ, କେନ୍ଦ୍ର ହ୍ୱାଟ୍ସଆପ୍‍ ଓ ଫେସବୁକ୍‍ ସରକାର: କପିଲ ସିବଲ

0

ଭୁବନେଶ୍ୱର: ଶନିବାର ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି ତାଙ୍କ ୪ବର୍ଷ ଶାସନ କାଳର ହିସାବ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ଓଡ଼ିଶା ଆସି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାଲୋଚନା କରିଛନ୍ତି। କେନ୍ଦ୍ରର ପ୍ରମୁଖ ଦୁଇ ଦଳର ହଠାତ୍‍ କରି ଓଡ଼ିଶା ପ୍ରତି ଦରଦ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିବ ନିଶ୍ଚୟ। ଦିନ ୧୧ଟାରେ ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଅଦ୍ୟାବଧି ପୂରଣ କରି ନାହାନ୍ତି। କଳାଧନ ଦେଶକୁ ଫେରାଇ ଆଣିବା ପ୍ରସଙ୍ଗ ହେଉ କିମ୍ବା ବିମୁଦ୍ରାକରଣ ଦ୍ୱାରା ଦେଶ ମଧ୍ୟରେ ଥିବା କଳା ଧନ ଠାବ କରିବାରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ସିବଲ ଯୁକ୍ତି ଦର୍ଶାଇ ଥିଲେ। ସେହିପରି ଓଡ଼ିଶାକୁ କଂଗ୍ରେସ ଅମଳରେ ରାଉଳକେଲା ଇସ୍ପାତ କାରଖାନା, ପାରାଦ୍ୱୀପ ବନ୍ଦର ପରି ବଡ଼ବଡ଼ ଶିଳ୍ପ କଂଗ୍ରେସ ଦେଇଥିବାବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଉଥିବାବେଳେ ସର୍ବଭାରତୀୟସ୍ତରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନିମ୍ନସ୍ତରକୁ ପହଞ୍ôଚ ଯାଇଛି। କେବଳ ଫେସବୁକ୍‍ ଓ ହ୍ୱାଟ୍ସ ଆପ୍‍ ମାଧ୍ୟରେ କେନ୍ଦ୍ର ସରକାର ଚଲାଉଥିବାବେଳେ ରାଜ୍ୟ ସରକାର ଦୋ ମୁହଁ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ନାହାନ୍ତି। କଂଗ୍ରେସଠାରୁ ଦୂରତା ଆଳରେ ବିଜେପିକୁ ସମର୍ଥନ କରୁଥିବାବେଳେ ବିଜେପି ଓଡ଼ିଶାକୁ ପ୍ରତାରିତ କରିଛି ବୋଲି କପିଲ ସିବଲ ଅଭିଯୋଗ କରିଥିଲେ। ସେହିପରି ପାରାଦ୍ୱୀପ ତୈଳ ବିଶୋଧନାଗାର ନିର୍ମାଣ ହୋଇଛି ସତ, ହେଲେ ସେଠାରେ ୧୦୦୦ଓଡିଆ ଯୁବକଙ୍କୁ ନିଯୁକ୍ତି ମିଳି ନାହିଁ ବୋଲି ସିବଲ ଅଭିଯୋଗ କରିଛନ୍ତି। ଦେଶର କୃଷି ସାମଗ୍ରୀ ଉପରେ ଜିଏସଟି ବୋଝ ଲଦି ଦେଇଛନ୍ତି କେନ୍ଦ୍ର। ଭାରତ ଅର୍ଥନୈତିକ ଇତିହାସରେ ଏଭଳି କାର୍ଯ୍ୟ କୌଣସି ସରକାର କରି ନାହାନ୍ତି। କୃଷିଜାତ ସାମଗ୍ରୀ ଓ କୃଷକଙ୍କ ଉପରେ ଜିଏସଟିର ବୋଝ ଲଦି ଦେଶର କୋଟିକୋଟି ଗରିବଙ୍କ ପ୍ରତି ଉପହାସ କରୁଛି କେନ୍ଦ୍ର ସରକାର ବୋଲି ବରିଷ୍ଠ କଂଗ୍ରେସ ନେତା ଅଭିଯୋଗ କରିଥିଲେ।

Leave A Reply