କଲ୍ୟାଣସିଂହପୁରରେ ଘୋଷଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆଡମ୍ବର ସହକାରେ ପାଳନ କରାଯାଇଛି । ରବିବାର ବର୍ଷା ହେବା ସତ୍ତ୍ୱେ ହଜାର ହଜାର ଭକ୍ତ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥଟଣାରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛ । ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଓ ପତିତପାବନଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବତ୍ତୋର ବିଭାଗ ପରିଚାଳନାରେ ଅନୁଷ୍ଠିତ କରାଯାଉଛି । ଆଜି ସକାଳୁ ମହାପ୍ରଭୁଙ୍କର ୫.୩୦ମିନିଟରେ ନେତ୍ରୋତ୍ସବ କରାଯିବା ପରେ ନବଯୌବନ ଦର୍ଶନ ନିମନ୍ତେ ଦ୍ୱାର ଖୋଲା ଯାଇଥିଲା ।

ଏହାପରେ ମଙ୍ଗଳ ଆଳତୀ, ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକମାନେ ଶ୍ରୀଜୀଉଙ୍କୁ ସୁସଜ୍ଜିତ କରିଥିଲେ । ସକାଳ ୯ ଘଣ୍ଟା ସମୟରେ ପୁରୋହିତ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟାରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା ଓ ପତିତପାବନଙ୍କୁ ସେବାୟତମାନେ ଗୋଟି ପହଣ୍ଡି କରି ରଥାରୁଢ କରିଥିଲେ । ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୪ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରୀ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥିରେ ପୁଲିସ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ସନ୍ଧ୍ୟା ପରେ ଶ୍ରୀଜୀଉଙ୍କୁ ମାଉସୀ ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି । ଗୁଣ୍ଡିଚା ମନ୍ଦିରରେ ପ୍ରତି ଦିନ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ କୁହାଯାଇଛି ।

Comments are closed.