କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଗୁଣ୍ଡିଚା ମନ୍ଦିର ନିକଟ ସାହିରେ ଥିବା ବିରାଟ ତେନ୍ତୁଳି ଗଛ ଲଗାଣ ବର୍ଷା ହେଉଥିବାରୁ ଉପୁଡି ଜଗନ୍ନାଥ ମାଣ୍ଡିକା, ସୁଶାନ୍ତ ତ୍ରାନିକା, ନରରସିଂହ ଦଣ୍ଡସେନା, ହିକକା ଶିକୁନୁଙ୍କ ୪ ଘର ଉପରେ ପଡି ଯାଇଛି। କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଗୁଣ୍ଡିଚା ମନ୍ଦିର ନିକଟ ଲମ୍ବତା ସାହି ଶେଷରେ ଥିବା ପୁରୁଣା ତେନ୍ତୁଳି ଗଛ ମୂଳରୁ ଉପୁଡି ରାତ୍ରରେ ଘର ଉପରେ ପଡିବାରୁ ଘରର ଆଜବେଷ୍ଟ ଟିଣ ଭାଙ୍ଗି ଯିବାରୁ ଘରେ ଥିବା ସମସ୍ତ ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ରାତ୍ରରେ ଘଟଣା ହୋଇଥିବାରୁ ଏହି ୪ଘର ଲୋକେ ସାହି ପଡିଶାରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସକାଳୁ ଏହି ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଲଗାଣ ବର୍ଷା ହେଉଥିଲେ ମଧ୍ୟ ଗଛ କାଟି ସଫା କରିଥିଲେ। ଖବର ପାଇ ରାଜସ୍ବ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ଦେଖି ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦେଇଥିଲେ। ତଥ୍ୟ ନେଇ ସରକାରଙ୍କୁ ପ୍ରେରଣ କରାଯିବ। ସେହି ଠାରୁ ଯାହା ଆସିବ ତାହା ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ଏହି ଚାରି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଘର ଖଣ୍ଡିଏ ଲେଖାଏଁ ଯୋଗାଇଦେବା ପାଇ ସରକାରଙ୍କୁ ଗୁହାରି କରିଛନ୍ତି। ସେହିପରି ପାର୍ଶାଲି ପଞ୍ଚାୟତର ଚାଟିକଣା ଗ୍ରାମର ଚୈତନ୍ୟ ବାଗଙ୍କ ଘରର ଲମ୍ବା କାନ୍ଥ ବର୍ଷାରେ ଭିଜି ରାତ୍ର ୭ଟା ସମୟରେ ଭୁଶୁଡି ପଡିଛି। ପରିବାରର ୫ପ୍ରାଣୀକୁ ଧରି ଉକ୍ତ ଘରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଉକ୍ତ ଖବର ରାଜସ୍ବ ନିରୀକ୍ଷକ ଜାଣି ପଲିଥିନ ଯୋଗାଇ ଦେଇଥିବା ସୂଚନା ମିଳିଛି।
ଆଜି ମଧ୍ୟାହ୍ନ ସମୟରେ କରପା ପଞ୍ଚାୟତର କ୍ରିଷ୍ଣାପାତ୍ର ଗୁଡା ଛକ ନିକଟରେ ଏକ ଗଛ ପଡି କଲ୍ୟାଣସିଂହପୁର ଠାରୁ ରାୟଗଡା ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା। ଉକ୍ତ ଖବର ଅଗ୍ନିଶମ ବିଭାଗ ପାଇ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଥିଲେ। ସେହି ସମୟରେ ଆସୁଥିବା ଘରୋଇ ବସ କରପା ଦେଇ ବୁଲି ଆସିଥିବା ଜଣାପଡିଛି। ବର୍ତ୍ତମାନ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।
ଗଛ ପଡି ଭାଙ୍ଗିଲା ଘର; ଭୁଶୁଡିଲା କାନ୍ଥ, ରାସ୍ତା ଅବରୋଧ
Popular Categories



