କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଗ୍ରାମରେ ଦିଆଲି ପର୍ବ ପାଳିତ ହୋଇଯାଇଛି । ତିନି ଦିନ ବ୍ୟାପୀ ଚାଲିଥିବା ଏହି ପର୍ବ ଅବସରରେ ପ୍ରଥମ ଦିନରେ ଗାଁର ମହିଳା ମାନେ ଉପବାସ ରହି ରାତ୍ର ସମୟରେ ରୀତିନୀତି ଅନୁସାରେ ଶୁକ୍ଳ ଭୋଗ ଦେଇ ପିତୃପୁଜନ କରିଥିଲେ। ଦ୍ୱିତୀୟ ଦିନରେ ମହିଳା ଓ ପୁରୁଷ ଉଭୟ ଉପବାସ ରହି ରାତ୍ର ସମୟରେ ଆମିଷ ଭୋଗ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହିତ ବାଣ ଫୁଟାଇ ଓ ସ୍ୱର୍ଗପ୍ରାପ୍ତି ଲୋକଙ୍କୁ ଭୋଗ ପ୍ରଦାନ ସହ ଗାଁ ଲୋକେ ଏକତ୍ର ହୋଇ ଶ୍ରଦ୍ଧା ମନୋଭାବରେ ଭୋଜନ କରିଥିଲେ।
ତୃତୀୟ ଦିନରେ ବଳକା ଭୋଗକୁ ଛୋଟ ଛୁଆମାନେ ଏକ ଜଙ୍ଗଲକୁ ନେଇ ସେଠାରେ ଆହାର କରିଥିଲେ ଏବଂ ସେ ସ୍ଥାନରୁ ଦାନ୍ତକାଠି ଓ ଅଳସି ଫୁଲ ଆଣିଥିଲେ। ଜଙ୍ଗଲରୁ ଅଳସି ଫୁଲ ଆଣିବା ପରେ ଦେବୀଙ୍କୁ ଆରାଧନା କରାଯାଇଥିଲା ଏବଂ ଗାଁରେ ବାଲିଫୁଲ ରଖି ଗ୍ରାମ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପାରମ୍ପାରିକ ବାଜା ସହ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ ପରେ ଘରର ମୂରବୀଙ୍କୁ ପ୍ରଣାମ କରିବା ସହ ହସ ଖୁସିରେ ଏହି ଦିଆଲୀ ପର୍ବ ପାଳନ କରିଥିଲେ। କଲ୍ୟାଣସିଂହପୁର ବ୍ଲକରେ ଥିବା ସମସ୍ତ ଦଳିତ ପରିବାରରେ ଏହି ଦିଆଲୀ ପର୍ବ ତିନିଦିନ ଧରି ଧୁମଧାମରେ ପାଳିତ ହୋଇଯାଇଛି।



