ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସୁରଭି’ ଏକ ପ୍ରୟାସ, ସଭିଙ୍କୁ ଆକର୍ଷିତ କରୁଛି ‘ଆକାଂକ୍ଷୀ ପାଭିଲିୟନ୍‌’

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୟୁନିଟ୍‌-୯ ବାଳକ ଉଚ୍ଚବିଦ୍ୟାଳୟରେ ଆରମ୍ଭ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ  ସୁଦାମ ମାର୍ଣ୍ଡି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରୋତ୍ସାହିତ କରିଥିଲେ । ଶିକ୍ଷକମାନେ ହେଉଛନ୍ତି ବିଶ୍ୱକର୍ମା । ସେମାନେ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ, ସହଯୋଗୀ ଏବଂ ମାର୍ଗଦର୍ଶକ । ପ୍ରତ୍ୟେକ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ଉନ୍ନତ କରି ଗଢ଼ିତୋଳନ୍ତୁ । ଆଉ ପିଲାମାନେ ନିଜ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ସଦସର୍ବଦା ପ୍ରୟାସ କରନ୍ତୁ ବୋଲି ଶ୍ରୀ ମାର୍ଣ୍ଡି ମତବ୍ୟକ୍ତ କରିଥିଲେ ।ସେ ଆହୁରି ମଧ୍ୟ କହିଥିଲେ, ପିଲାମାନେ ପାଠ ସହ ସହପାଠ ଭିତ୍ତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରନ୍ତୁ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ  ଅନନ୍ତ ନାରାୟଣ ଜେନା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଲେ, ପିଲାମାନେ ଆଗାମୀ ଦିନର ଭବିଷ୍ୟତ । ସେମାନେ ନିଜ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇ କହିଲେ, ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବଦଳିଛି । ଉନ୍ନତ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ପାନୀୟ ଜଳ ସୁବିଧା, ଶୌଚାଳୟର ସୁବିଧା ରହିଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ସଦସର୍ବଦା ରାଜ୍ୟସରକାର ପ୍ରୟାସ କରିଆସୁଛନ୍ତି । ପିଲାମାନେ ଏହି ସବୁ ସୁବିଧା-ସୁଯୋଗ ଉପଯୋଗ କରି ନିଜ ଭବିଷ୍ୟତ ଗଠନ କରନ୍ତୁ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଯୋଗ ଦେଇ କହିଲେ, ସଫଳତା ସହଜରେ ମିଳେନି । ଆମକୁ ଏହି ସଫଳତା ହାସଲ କରିବା ପାଇଁ ନିରନ୍ତର ପ୍ରୟାସ କରିଚାଲିବା ଦରକାର ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌. ଯୋଗ ଦେଇ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଏଠାରେ ପହଞ୍ଚିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଶ୍ରୀମତୀ ଏସ୍ କହିଥିଲେ, ଚଳିତବର୍ଷ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମକୁ ସୁରଭିରେ ପ୍ରଦର୍ଶିତ କରାଯାଇଛି । କ୍ଲବ୍ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଉଛି ଆକାଂକ୍ଷୀ ପାଭିଲିୟନ୍ । ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଏହି କାର୍ଯ୍ୟକ୍ରମରେ ନିଜର ସ୍ୱାଗତ ଅଭିଭାଷଣ ରଖିଥିଲେ । ସେ କହିଥିଲେ, ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ କରିବାର ହିଁ ସୁରଭିର ଲକ୍ଷ୍ୟ । ରାଜ୍ୟସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମସ୍ତ ଜିଲ୍ଲାରୁ ଛାତ୍ରଛାତ୍ରୀ ଆସିଛନ୍ତି । ସେମାନଙ୍କୁ ଉତ୍ତମ ଅନୁଭୂତି ଦେବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନେ ବୁଧବାର ଅର୍ଥାତ୍ କାର୍ଯ୍ୟକ୍ରମର ଦ୍ୱିତାୟ ଦିନରେ ବିଭିନ୍ନ ଦର୍ଶନୀୟସ୍ଥାନ ବୁଲି ଦେଖିବେ । ଏହାପରେ ଅପରାହ୍ଣରେ ସେମାନେ ଛାୟା ମିଳିତ ଜାତିସଂଘ ପ୍ରଦର୍ଶିତ କରିବେ ବୋଲି ଶ୍ରୀ ସାହା କହିଥିଲେ । କାର୍ଯ୍ୟକ୍ରମରେ ଟିଇ ଏବଂ ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଚଳିତ ସୁରଭି ମହୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଛି ‘ଆକାଂକ୍ଷୀ ପାଭିଲିୟନ୍‌’ । ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଏବଂ କ୍ଲବ୍ କାର୍ଯ୍ୟକ୍ରମଗୁଡି଼କ ଏହି ପାଭିଲିୟନ୍‌ରେ ପ୍ରଦର୍ଶିତ କରାଯାଇଛି । ପାଭିଲିୟନ୍ ଆରମ୍ଭରୁ ଥିବା ଗ୍ଲୋବ୍ ଆଗାମୀ ୨୦୩୬ ବର୍ଷ ବେଳକୁ ଆମ ରାଜ୍ୟର ବିଦ୍ୟାଳୟ କିପରି ହେବ ତାହା ପ୍ରଦର୍ଶିତ କରୁଛି । ପାଭିଲିୟନ୍‌ରେ କରାଯାଇଥିବା ବାଇସ୍କୋପ୍‌ର ୪ଟି ଲେନ୍ସରେ ବିଦ୍ୟାଳୟରେ ଚାଲିଥିବା ୪ଟି କ୍ଲବ୍ କ୍ରୀଡାଙ୍ଗନ, କୌଶଳୀ, ଜିଜ୍ଞାସା ଓ ସାହିତ୍ୟ ସୃଜନୀକୁ ପ୍ରଦର୍ଶିତ କରାଯାଇଛି । ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ ମୁଖ୍ୟ ପ୍ରଶିକ୍ଷକମାନେ ଆସି ଏଠାରେ ବିଭିନ୍ନ ଅଧିବେଶନ କରୁଛନ୍ତି । ଯାହା ଛାତ୍ରଛାତ୍ରୀ ଓ ଆସୁଥିବା ଦର୍ଶକଙ୍କ ସମସ୍ତ କ୍ଲବ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ବୁଝାଉଛି ।

ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୋଷଣ ଓ ଖାଦ୍ୟ ନିରାପତ୍ତା ଶୀର୍ଷକରେ ପ୍ରତିଯୋଗିତା ହୋଇଥିଲା । ୩୦ଟି ଜିଲ୍ଲାରୁ ଜଣେ ଲେଖାଏଁ କୃତି ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ପୋଷଣ ଓ ଖାଦ୍ୟ ନିରାପତ୍ତା ଉପରେ ସୁନ୍ଦର ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ । ଏହା ସହ ଆଜି ପ୍ରବନ୍ଧ, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉତ୍ସବରେ ବିଭିନ୍ନ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେଗୁଡିକ ହେଲା- ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଷ୍ଟାରସ୍ ଏବଂ ହାକାଥନ୍‌, ସାଇବର ନିରାପତ୍ତା, ହଜିଯାଇଥିବା ପୁରାତନ ସାମଗ୍ରୀ, ବୃତ୍ତି ଚୟନ ସଚେତନତା, କାଗଜ ଭଙ୍ଗା ଓ ସଖୀ କଣ୍ଢେଇ ନାଚ, ମନର ଚିତ୍ରକୁ ମାଟିର ରୂପ ଦେବା, ବର୍ଜ୍ୟବସ୍ତୁରୁ ସୃଜନୀକଳା, ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ, ପିଏମ୍ ପୋଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଇତ୍ୟାଦି । ଅନ୍ୟପକ୍ଷରେ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।
ଉତ୍ସବର ଦ୍ୱିତୀୟ ଦିନରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରାହାଳୟ, ପଠାଣୀସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।

ଅପରାହ୍ଣରେ ମୁଖ୍ୟ ଆକର୍ଷଣ ସାଜିବ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି  ପ୍ରମିଳା ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେବେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା (ଶିକ୍ଷା) ଓ ଓଡି଼ଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା  ଉପେନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି, ଭୁବନେଶ୍ୱର (ମଧ୍ୟ) ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି ।

Comments are closed.