ପଦ୍ମପୁର: ୨୦ବର୍ଷରେ ପଦାର୍ପଣ କରିଛି ପଦ୍ମପୁର ଠାରେ ହେଉଥିବା ମାଁ ଶ୍ୟାମାକାଳୀ ପୂଜା। ଏହି ପୂଜା ପାଇଁ ଚଳଚଞ୍ଚଳ ହୋଇଛି ପଦ୍ମପୁର ଅଞ୍ଚଳ। ବର୍ଷକରେ ଥରେ ଏହି ପୂଜା ପାଇଁ ବ୍ଲକ କଲୋନୀ ଠାରୁ ବଦଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ରଙ୍ଗୀନ ଆଲୋକ ମାଲାରେ ଝଲସି ଉଠୁଛି, ଯାହା ଏହି ପୂଜାକୁ ଦ୍ବିଗୁଣିତ ଆକର୍ଷଣୀୟ ପ୍ରଦାନ କରୁଛି। ମାଟିରେ ମାଁଙ୍କ ବିଗ୍ରହ ତିଆରି କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ମେଢ଼ ତିଆରି କରାଯାଇଛି। ଏଥିପାଇଁ ଜିଲା ତଥା ରାଜ୍ୟ ବାହାରୁ କାରିଗର ଆସିଥାନ୍ତି ମୂର୍ତ୍ତି ନିର୍ମାଣ ପାଇଁ। ଏହା ସହ ଛୋଟବଡ଼ ବ୍ୟବସାୟୀ, ମୀନାବଜାର, ରାମଦୋଳି ଓ ଦୋକାନ ବଜାର ବଢ଼ିବାରେ ଲାଗିଛି।
ତେବେ ଚଳିତ ବର୍ଷ ଅଦ୍ୟାବଧି ପ୍ରତିକୂଳ ପାଗ ନେଇ କୌଣସି ପୂର୍ବାନୁମାନ ହୋଇନଥିବାରୁ ଏଥର କାଳୀପୂଜା ମହୋତ୍ସବକୁ ନେଇ ସ୍ୱାଭାବିକ ଭାବେ ସାଧାରଣରେ ଉତ୍ସାହ ପରିଲକ୍ଷିତ ହୋଇଛି। ପୂଜାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତବର୍ଷ ସମ୍ବଲପୁରୀ ମେଲୋଡି ବିଶେଷ ଆକର୍ଷଣ ରହିବ। ଏଥିସହ ମିନାବଜାର, ବିଦ୍ୟୁତ ଦୋଳି, ମିନିଟ୍ରେନ, ଫାଷ୍ଟଫୁଡ, ଜଳଖିଆ, ଚାଟ, ଚଟପଟି ସୁସ୍ୱାଦୁ ଖାଦ୍ୟ ସମେତ ବିଭିନ୍ନ ପ୍ରକାର ଦୋକାନ ବଜାର ବୁଲି ମଜା ଉଠାଇବାର ସୁଯୋଗ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।



