Patra electronics

ଗୋ ମାଂସ ଚାଲାଣ ବେଳେ ଟ୍ରକକୁ ପୋଡିଲେ ଉତ୍ତ୍ୟକ୍ତ ଲୋକେ

କଳାପଥର : ଶନିବାର ଭୋର ସମୟରେ କଳାପଥର – ବୈଦ୍ୟେଶ୍ୱର ରାସ୍ତାର ଦମକଳ କେନ୍ଦ୍ର ନିକଟରୁ ଏକ ଗୋ ମାଂସ ଚାଲାଣ କରୁଥିବା ଟ୍ରକକୁ ବଜରଙ୍ଗ ଦଳର କେତେକ କର୍ମୀ ଏବଂ କିଛି ଯୁବକ ଅଟକ ରଖିଛନ୍ତି । ପରେ ସେଥିରେ ଚାଲାଣ ହେଉଥିବା ପ୍ରାୟ ୨୦ ଟନ ଗୋ ମାଂସ ଦେଖିବାକୁ ପାଇବା ପରେ ପୁଲିସକୁ ଖବର ଦେଇଥିଲେ। ବୈଦ୍ୟେଶ୍ୱର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡ଼ିର ଡ଼୍ରାଇଭର, ହେଲପରକୁ ନିଜ ହେପାଜତକୁ ନେଇଛି । ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରଚାର ହେବା ପରେ ସେଠାରେ ଶତାଧିକ ଲୋକଙ୍କ ଭିଡ ଲାଗିଥିଲା । କେତେକ ଉତ୍ତ୍ୟକ୍ତ ଲୋକେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
ମିଳିଥିବା ଖବର ଅନୁସାରେ ଶନିବାର ଭୋର ସମୟରେ ମହାରାଷ୍ଟ୍ର ନମ୍ୱର୍ ଥିବା ଏକ ଟ୍ରକରେ ତିଗିରିଆ ଅଞ୍ଚଳରୁ ଗୋ ମାଂସ ଚାଲାଣ ହେଉଥିବା ସମ୍ପର୍କରେ କେତେକ ବଜରଙ୍ଗ ଦଳର କର୍ମୀଙ୍କୁ ଖବର ଆସିଥିଲା । ତଦନୁସାରେ ଦଳର ୨୦ ରୁ ଉର୍ଦ୍ଧ କର୍ମୀ ସ୍ଥାନୀୟ ଦମକଳ କେନ୍ଦ୍ର ନିକଟରେ ଉକ୍ତ ଗାଡ଼ିକୁ ଛକି ରହିଥିଲେ । ତେବେ ଟ୍ରକର ଆଗେ ଆଗେ ପାଇଲଟିଂ କରି ଏକ ବୋଲେରୋ ଗାଡ଼ି ଆସୁଥିବାରୁ ଗୋ ମାଂସ ଭର୍ତି ଗାଡିଟିକୁ ଅଟକାଇବା କଷ୍ଟସାଧ୍ୟ ହୋଇଥିଲା । ତେବେ ବହୁ କଷ୍ଟରେ ବଜରଙ୍ଗ କର୍ମୀମାନେ ଉକ୍ତ ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ିଟିରେ ଜରିପାଲ ଘୋଡାଯାଇ ଗୋ ମାଂସ ଚାଲାଣ ହେଉଥିବା ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଡ଼ିର ଡ଼୍ରାଇଭର ଓ ହେଲପର ଉଭୟଙ୍କୁ ଅଟକ ରଖିଛି। ଗୋ ମାଂସ ତିଗିରିଆ ଅଞ୍ଚଳରୁ ଆସି ପଶ୍ଚିମ ବଙ୍ଗ ଯାଇଥାନ୍ତା ବୋଲି ଗାଡି ଚାଳକ କହିଛନ୍ତି। ତେବେ ପୁଲିସ ଉଭୟ ଡ୍ରାଇଭର, ହେଲପରକୁ ଅଟକ ରଖିବା ପରେ ଉତ୍ୟକ୍ତ ଲୋକମାନେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଗତ କିଛିମାସ ମଧ୍ୟରେ ବାଙ୍କୀ ଅଞ୍ଚଳରୁ ଏଭଳି ଗୋ ମାଂସ ଚାଲାଣ ୩ ଥର ହେଲାଣି । ନିକଟରେ ବାଙ୍କୀ , ଘୋଳପୁର ଅଞ୍ଚଳରୁ ଗୋ ମାଂସ ଜବତ ହୋଇଥିବା ବେଳେ ଆଜି କଳାପଥର ନିକଟରୁ ଗୋ ମାଂସ ଜବତ ହୋଇଛି । ଯାହାକି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଘୋର ଉତ୍ତେଜନା ଦେଖାଦେଇଛି ।

Comments are closed.