Patra electronics

ନୁଆଣିଆ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କଳାପଥର (ବାଙ୍କୀ): ଗୋଟିଏ ଝିଅ ବିଭାଘର ପୂର୍ବରୁ କେତେ ସ୍ୱପ୍ନ ଦେଖିଥାଏ. କେତେ ଠାକୁରଙ୍କୁ ନିଜର ମନର କଥା କହି ଉପବାସ କରିଥାଏ। ଭଲ ବର ଏବଂ ଭଲ ଘର ସହିତ ଭଲ ପରିବାର। ନିଜ ଇଚ୍ଛାରେ ଭଲ ବର ଦେଖି ଜଣେ ଝିଅ ନିଜ ଗାଁରେ ଗୋଟେ ସୁନ୍ଦର ପୁଅକୁ ଭଲ ପାଇ ବିବାହ କରିଥିଲା। ଭଗବାନ ସବୁ ଇଚ୍ଛା ପୂରଣ କରି ନଥିଲେ ମଧ୍ୟ ଗାଁ ରେ ଜଣେ ମେଧାବୀ ଛାତ୍ର ଓ ଶାନ୍ତ ସରଳ ପୁଅକୁ ଜୀବନ ସାଥି ଭାବେ ତାଙ୍କୁ ଦେଇଥିଲେ।

କିନ୍ତୁ ବିବାହର କେଇ ମାସ ପରେ ହଠାତ ସ୍ବାମୀଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ତାଙ୍କର ସ୍ବାମୀ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ସେହି ଦିନରୁ ସ୍ବାମୀ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ବାଙ୍କୀ ବ୍ଲକ ଅଧୀନ କଳାପଥର ଗ୍ରାମ ପଞ୍ଚାୟତର କଦମ୍ବପାଟଣା ଗ୍ରାମରେ ସେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୁଖ୍ୟମନ୍ତ୍ରୀ ମୋ କୁଡ଼ିଆ ଯୋଜନା ପାଇଁ ଗୁହାର କରି ଥକି ପଡ଼ିଥିଲେ ହେଁ ସରକାରୀ ବାବୁଙ୍କ ପାଖରେ ଏପର୍ଯ୍ୟନ୍ତ ତାହା କୁମ୍ଭୀର କାନ୍ଦଣା ପାଲଟିଛି।

ଚଳିତ ଅଗଷ୍ଟ ମାସ ଆରମ୍ଭରେ ବାଙ୍କୀ ବ୍ଲକ କଳାପଥର ଆଞ୍ଚଳରେ ରେକର୍ଡ ଭୁକ୍ତ ସର୍ବାଧିକ ବର୍ଷା ହୋଇଥିଲା। ଫଳରେ ତାଙ୍କ ନୂଆଣିଆ ଜରି ପାଲ ଟଣା ଘରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇ ଯାଇଥିଲା। ଅନିଦ୍ରା ରହି ରାତିଦିନ ଘରୁ ବାଲ୍ଟି ତାଟିଆ ଧରି ବର୍ଷା ପାଣି ବାହାର କରୁଥିଲେ ଶାଶୁ ବୋହୁ। ଚୁଲିରେ ପାଣି ପଶିଯିବାରୁ ରାନ୍ଧିବା ବନ୍ଦ ହୋଇଯାଇଥିଲା। ପଡୋଶୀ ଯଦି ଦିନରେ ଖାଇବାକୁ ଦେଇଥିଲେ।

ରାସ୍ତା ଉଚ୍ଚା ହୋଇ ଯିବାରୁ ନୂଆଣିଆ ଚାଳ ଘରେ ସବୁବେଳେ ବିଷାକ୍ତ ସରୀସୃପ ଯାତାୟତ କରୁଛନ୍ତି। ଭଙ୍ଗା ଚାଳ ଘର ଉପରେ ପଲିଥିନ ଟାଣି ରହୁଥିବା ବେଳେ ଅତ୍ୟନ୍ତ ଗରିବ ପରିବାର ପ୍ରତି ପକ୍କା ଛାତ ଘର ସାତ ସପନ ପାଲଟିଛି।

କଦମ୍ବପାଟଣା ଗ୍ରାମର ନିର୍ମଳା ସାହୁ ସ୍ବାମୀ ଶ୍ରୀଧର ସାହୁ ଜଣେ ଦିବ୍ୟାଙ୍ଗ ଅଟନ୍ତି। ଓଡିଶା ବାହାରକୁ ଯାଇ ଦାଦନ ଖଟି ପେଟ ପୋଷନ୍ତି। ନିର୍ମଳା ପର ଘରେ କାମ ପାଇଟି ମଧ୍ୟ କରନ୍ତି। ସ୍ବାମୀ ଓ ଦିଅର ଦୁଇ ଭାଇ ହୋଇଥିବା ବେଳେ ସାନ ଭାଇ ଗାଁରେ ରଙ୍ଗ କାମ କରନ୍ତି। ଜମିବାଡ଼ି ବୋଲି କିଛି ନାହିଁ । ରୋଗୀଣା ଶାଶୁ ବୁଧେଶ୍ୱର ୮ରୁ ୧୦ଟି ଛେଳି ରଖି ଚରାବୁଲା କରୁଛନ୍ତି। ସରକାର କେବଳ ତାଙ୍କୁ ୩୫ କେଜି ଚାଉଳ ଯୋଗାଇ ଦେଉଛନ୍ତି। ଘର ଛପର କରିବାକୁ ଆବଶ୍ୟକ ସାମଗ୍ରୀ କିଣିବାକୁ ପାଖରେ ଟଙ୍କା ନଥିବାରୁ ବାଡ଼ି ପଟରୁ ମାଟି କାନ୍ଥ ଭାଙ୍ଗିରୁଜି ଗଲାଣି। ଏଭଳି ସମୟରେ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ବାସ ଗୃହ ଖଣ୍ଡେ ପାଇଁ ଗୁହାରୀ କରି ଥକି ପଡ଼ିଥିଲେ ହେଁ ଏଥିପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁନାହିଁ।

ବହୁବାର ପଂଚାୟତରେ ଆବେଦନ କରି ଗ୍ରାମସଭାରେ ନିର୍ମଳା ସାହୁଙ୍କ ନାଁ ସୁପାରିଶ କରାଯାଉଥିଲେ ମଧ୍ୟ ହେଁ କୁଜି ନେତାମାନେ ଅନ୍ୟ ହିତାଧିକାରୀମାନଙ୍କ ଠାରୁ ହାତ ଗୁଞ୍ଜା ନେଇ ଯୋଗ୍ୟ ହିତାଧିକାରୀ ପତ୍ରରୁ କାଟି ଦିଆଯାଉଥିବା ଅଭିଯୋଗ କରିଛନ୍ତି ଶାଶୁ ବୁଧେଶ୍ୱର ସାହୁ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିକଟରେ ଆସିଲେ ନିର୍ମଳାଙ୍କୁ ନିଶ୍ଚିତ ଘର ଯୋଗାଇ ଦିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।

Comments are closed.