କଲମପୁର : ଇଛାପୁର ପି.ଡବ୍ଲ୍ୟୁ.ଡି ରାସ୍ତାରୁ ବାଲିଛଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଇଛାପୁର କେନାଲ ନିକଟରେ ବାଇକ୍ ରୁ ପଡିଯାଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁସାରେ ବାଲିଛଡା ଗ୍ରାମର ମଞ୍ଜୁଳା ଦୁର୍ଗା ନାମକ ଜନୈକ ମହିଳା ନିଜ ସାମାଜିକ ସୁରକ୍ଷା ଯୋଜନାର ଭତା ଟଙ୍କା ଉଠାଣ କରିବା ପାଇଁ କଲମପୁର ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ଟଙ୍କା ଉଠାଣ କରି ଦିନ ପ୍ରାୟ ୧୨ଟା ବେଳେ ନିଜ ସମ୍ପର୍କିୟଙ୍କ ସହ ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଇଛାପୁର ପି.ଡବ୍ଲ୍ୟୁ.ଡି ରାସ୍ତାରୁ ବାଲିଛଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଇଛାପୁର କେନାଲ ନିକଟରେ କୌଣସି କାରଣରୁ ବାଇକ୍ ରୁ ପଡି ଚେତା ହରାଇଥିଲେ। ତାଙ୍କର ମୁଣ୍ଡ, ହାତ ଏବଂ ଗୋଡରେ ଆଘାତ ଲାଗିଛି। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି। ବର୍ତମାନ ପର୍ଯ୍ୟନ୍ତ ବୃଦ୍ଧାଙ୍କ ଅବସ୍ଥାରେ ସୁଧାର ଆସିନାହିଁ। ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ବୃଦ୍ଧାଙ୍କ ମୁଣ୍ଡ ବୁଲେଇ ହୋଇ ଥିବାରୁ ସେ ପଡିଯାଇଥିବାର ଆଶଙ୍କା କରାଯାଉଛି।
Popular Categories



