‘ବାଲ୍ୟବିବାହ ଏକ ସାମାଜିକ କଳଙ୍କ’ ଶୀର୍ଷକକୁ ନେଇ ସଚେତନତା କର୍ମଶାଳା
କଲମପୁର :କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଅନ୍ତୋଦୟ ଏବଂ କର୍ତ୍ତବ୍ୟ ସଂସ୍ଥା ପକ୍ଷରୁ ବାଲ୍ୟବିବାହ ଏକ ସମାଜର କଳଙ୍କ ବିଷୟକୁ ନେଇ କର୍ମଶାଳା ଆୟୋଜିତ ହୋଇଥିଲା।ବାଲ୍ୟବିବାହ ନିରୋଧ ଉଦ୍ଦେଶ୍ୟରେ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡିର ସଦସ୍ୟ ସୁଧାଂଶୁ ନନ୍ଦ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ, ଥୁଆମୂଳ ରାମପୁର ଏମ୍ଏମପିଏସ୍ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ଥୁଆମୂଳ ରାମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭରତ କୁମାର ମେହେର, ବ୍ଲକ ଶିକ୍ଷାଧିକାରୀ ଲୋକନାଥ ବେହେରା, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଏଇଇ ସାଲକୋ ହେମ୍ବ୍ରମ ଏବଂ ଥୁଆମୂଳ ରାମପୁର ଦାୟିତ୍ୱରେ ଥିବା ସିଡିପିଓ ପ୍ରମୁଖ ଯୋଗଦେଇଥିଲେ। କର୍ତ୍ତବ୍ୟ ସଂସ୍ଥାର ମୁଖ୍ୟ ଅଶୋକ ପଟ୍ଟନାୟକ ଏବଂ ଅନ୍ତୋଦୟ ସଂସ୍ଥାର ମୁଖ୍ୟ ଦିଲ୍ଲୀପ ଦାଶଙ୍କ ଦ୍ବାରା ପରିଚାଳିତ ଏହି କର୍ମଶାଳାରେ ଥୁଆମୂଳ ରାମପୁର ବ୍ଳକର ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ଶିକ୍ଷା ବିଭାଗ,ସମନ୍ନିତ ଶିଶୁ ବିକାଶ ଯୋଜନା, ସ୍ବାସ୍ଥ୍ୟ ବିଭାଗ କର୍ମକର୍ତ୍ତା ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନେ ସମାଜରେ ହେଉଥିବା ବାଲ୍ୟବିବାହ ଭଳି କୁସଂସ୍କାର ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ।
ପରିବାରରେ ସଚେତନତା ଅଭାବଯୋଗୁଁ ବାଲ୍ୟବିବାହ ଭଳି ଆଉ ଅନେକ କୁସଂସ୍କାର ପ୍ରଚଳିତ ହେଉଛି। ଏହାକୁ ନିରୋଧ କରିବାନେଇ ସମାଜର ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଆବଶ୍ୟକତା ରହିଅଛି ବୋଲି ମତବ୍ୟକ୍ତ କରିଥିଲେ। ଏଭଳି କୁସଂସ୍କାରକୁ ସମାଜ ଠାରୁ ଦୂରେଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଅଛି। ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ଏନେଇ ସଚେତନତା ମୂଳକ ପଦକ୍ଷେପ ଜରୁରୀ ରହିଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯିବା ନେଇ ମତ ପ୍ରକାଶ ହେଇଥିଲା। ଅନ୍ତୋଦୟର ସଂସ୍ଥାର କର୍ମକର୍ତ୍ତା ରବିନାରାୟଣ ସିଂହ,ବୀଣାକାର ନାଏକ ଓ କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଆଲୋକ ପ୍ରଧାନ, ସମ୍ପଦ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।
Comments are closed.