ଜନସାଧାରଣଙ୍କ ସହ ମିତ୍ରତା ଭାବନା ରଖିବାରେ ବିଶ୍ୱାସ ରଖିଥାଏ ପୁଲିସ

ପୁରୁଣାଗୁମାରେ ପୋଲିସର ଜନ-ସମ୍ପର୍କ ଶିବିର

କଲମପୁର:କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧିନ କର୍ଲାପାଟ ଗ୍ରାମ ପଞ୍ଚାୟତର ପୁରୁଣାଗୁମା ଠାରେ ପୁଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ଏହି ପୁଲିସ ଜନସଂପର୍କ ଶିବିରରେ ପୁରୁଣାଗୁମା ସମେତ ପେରମଞ୍ଜି, କୁକୁରଭୁର୍ସି ଏବଂ ଚଉଦଗୁଡା ଗ୍ରାମର ବହୁ ଲୋକ ଯୋଗ ଦେଇଥିଲେ। ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ଡେପୁଟି କମାଣ୍ଡାଣ୍ଟ ହୃଷିକେଶ ବରାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ଲାପାଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ବ ମାଝୀ ଓ ସର୍ଜେଣ୍ଟ ଖଗେଶ୍ବର ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଶିବିରରେ ଯୋଗ ଦେଇଥିଲେ। ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରାବା ନେଇ ଏହିି ଅବସରରେ ପୁଲିସ ବିଭାଗ ତଥା ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ଭଲିବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପୁଲିସକୁ କୌଣସି ଭୟ କରିବାର ଆବଶ୍ୟକତା ନାହିଁ, ପୁଲିସ ଆପଣଙ୍କ ସହ ମିତ୍ରତା ଭାବନା ରଖିବାରେ ବିଶ୍ୱାସ ରଖିଥାଏ। ପୁଲିସର ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ମାନଙ୍କ ସହଯୋଗ ଜରୁରୀ, ଆପଣ କୌଣସି ଅସାମାଜିକ ଲୋକଙ୍କ ପ୍ରରୋଚନାରେ ପଡନ୍ତୁ ନାହିଁ ମିଥ୍ୟା ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ ଏବଂ କୌଣସି ଠକାମୀର ଶିକାର ହୁଅନ୍ତୁ ନାହିଁ। ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆସେ ତେବେ ନିଃସନ୍ଦେହ ପୁଲିସକୁ ଜଣାଇବାର ସାହସ କରନ୍ତୁ।

 

ଆପଣଙ୍କୁ ପୁଲିସ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବରାଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପୁରସ୍କାରପ୍ରଦାନ କରାଯାଇଥିଲା। ଏଥିସହିତ ଏଠାରେ ଉପସ୍ଥିତ ସ୍ଥାନୀୟ ଖାକେସ୍ ଗ୍ରାମର ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା।ଏଥିସହିତ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ଏବଂ ମଶାରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା। ଏଥିରେ ଅଭିଜ୍ଞ ଡାକ୍ତରମାନେ ଆସି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଛନ୍ତି। ଥୁଆମୂଳ ରାମପୁର ଥାନା ଏଏସଆଇ ରଶ୍ମିରଞ୍ଜନ ବାଗ ଏବଂ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ ପୋଲିସ ବାହିନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.