କଖଡି ହାଟର ଦୁରାବସ୍ଥା, କାଦୁଅପାଣିରେ ଚାଷି ବିକୁଛି ପରିବା
ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ହାଟ ହେଉଛି ସର୍ବପୁରାତନ ହାଟ । କେବଳ ସ୍ଥାନୀୟ ଅଞ୍ଚଳର କୃଷକ କାହିଁକି ଢେଙ୍କାନାଳ ଜିଲ୍ଲା ଅନୁଗୁଳ ଜିଲ୍ଲାମାନଙ୍କରୁ ବେପାରୀ ଓ କୃଷକମାନେ ସେମାନଙ୍କ ଉତ୍ପାଦିତ ପନିପରିବା କ୍ରୟ ବିକ୍ରୟ କରିବା ପାଇଁ ଏଠାକୁ ଆସିଥାନ୍ତି । ସପ୍ତାହରେ ବୁଧବାର ଓ ଶନିବାର ଦୁଇଦିନ ଧରି ହାଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ କୃଷକ, ଖାଉଟି ଓ ବିଭିନ୍ନ ବେପାରୀ ଆସିଥାନ୍ତି । ହେଲେ ଟାଙ୍ଗି-ଚୌଦ୍ୱାର ବ୍ଲକ କର୍ତ୍ତୃପକ୍ଷ ହାଟଟିର ଉନ୍ନତିକରଣ ପାଇଁ ଆଖିଦୃଶିଆ ପଦକ୍ଷେପ ନେଉ ନାହାନ୍ତି । ଅସରାଏ ବର୍ଷା ହେଲେ ୧ଫୁଟର ପାଣି ଜମି ରହୁଛି ଏବଂ ନିଷ୍କାସନ ବ୍ୟବସ୍ଥା ମଧ୍ୟ ନାହିଁ । ଚାଷୀ ଉତ୍ପାଦିତ ଫସଲ ବିକ୍ରୟ କରିବା ନିମନ୍ତେ ବସିବା ପାଇଁ ଆବଶ୍ୟକ ମୁତାବକ ଘର ମଧ୍ୟ କରାଯାଇ ନଥିବାରୁ ଢୁ ଢୁ ବର୍ଷାରେ ଭିଜି ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରୁଛନ୍ତି । ଯାହାକି ଅତ୍ୟନ୍ତ ଚିନ୍ତାଜନକ । ପଞ୍ଚାୟତ ପକ୍ଷରୁ ଟାଙ୍ଗି-ଚୌଦ୍ୱାର ବ୍ଲକ କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ହାଟ ନିଲାମ ହେଉଥିଲେ ମଧ୍ୟ କଣ ପାଇଁ କୃଷକ, ବେପାରୀ ଓ ଖାଉଟିମାନଙ୍କ କଲ୍ୟାଣାର୍ଥେ ହାଟଟିର ଉନ୍ନତିକରଣ କରିବା ଦିଗରେ ପଦକ୍ଷେପ ନିଆଯାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ୨୦ଟି ପଞ୍ଚାୟତର ଜନସାଧାରଣଙ୍କ ସହିତ ବିଭିନ୍ନ ଜିଳ୍ଲାରୁ ଆସୁଥିବା ବେପାରୀମାନେ ହାଟର ଦୁରାବସ୍ଥା ଦେଖି ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ରାଜ୍ୟ ସରକାର ଆଦର୍ଶ ହାଟ ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ କଖଡି ହାଟ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏ ସଂପର୍କରେ କଟକ ସଦର ଉପଜିଲ୍ଲାପାଳ କମଲଜିତ୍ ଦାଶଙ୍କୁ ପଚାରିବାରୁ, ହାଟର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।
Comments are closed.