କଲମା ବ୍ୟାରେଜ୍ରୁ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ
ଝାରସୁଗୁଡ଼ା : ଛତିଶଗଡ଼ ଜାଞ୍ଜଗିର ଚାମ୍ପା ଜିଲାର କଲମା ବ୍ୟାରେଜ୍ରୁ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ ହୋଇଛି। ଦିନ ୧୧ଟାରେ ମହାନଦୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ କଲମା ବ୍ୟାରେଜ ପହଞ୍ଚି ଏହି ଯାତ୍ରା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ବାହାରିଥିବା ମହାନଦୀ ବଞ୍ଚାଅ ଯାତ୍ରା ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଥିଲା। ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଯାତ୍ରାରେ ୧୫ ଜଣିଆ ଦଳ ଲଖନପୁର ବ୍ଲକ ମୁରଲିପାଲି ଠାରେ ରାତ୍ରି ଯାପନ ପରେ ସକାଳୁ ଛତିଶଗଡ଼ ଯାଇ କଲମା ବ୍ୟାରେଜ୍ରେ ପହଞ୍ଚିବା ପରେ ଏହି ଯାତ୍ରା ପୁରୀ ଅଭିମୁଖେ ଆରମ୍ଭ କରିଛନ୍ତି।
ଛତିଶଗଡ଼ରୁ ଓଡ଼ିଶାକୁ ମହାନଦୀ ପ୍ରବେଶ କରିଥିବା ଓଡ଼ିଶାର ପ୍ରଥମ ଗାଁ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୁଖାସୁଢ଼ାଠାରୁ ଆରମ୍ଭ ହୋଇଛି। ବୁଧବାର ସକାଳୁ ମହାନଦୀ ବଞ୍ଚା ଅଭିଯାନର ସଦସ୍ୟ ମାନଙ୍କୁ ମୁରଲିପାଲି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଏହି ଦଳ ସୁଖାସୁଢ଼ା ଯାଇ ମହାନଦୀ ଉପରେ ନିର୍ଭର କରୁଥିବା କେତେକ ମତ୍ସଜୀବୀ ପରିବାରଙ୍କୁ ଭେଟିଥିଲେ। ପୂର୍ବରୁ ମହାନଦୀ ତଥା ହୀରକୁଦ ଜଳଭଣ୍ଡାରରେ ବହୁତ ପାଣି ରହୁଥିଲା ସେତେବେଳେ ବହୁତ ମାଛ ମଧ୍ୟ ଏହି ମତ୍ସଜୀବୀ ପରିବାରମାନେ ଧରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଛତିଶଗଡ଼ରେ ବିଭିନ୍ନ ବ୍ୟାରେଜ ହେବା ଦ୍ୱାରା ମହାନଦୀରେ ପାଣି ଆସୁନାହିଁ। ଭୋର୍ ୪ ଟାରୁ ଦିନ ୮ ଯାଏ ମହାନଦୀରେ ମାଛଧରିବା ପାଇଁ ଗଲେ ମଧ୍ୟ କିଲେ ମାଛ ମଧ୍ୟ ମିଳୁନଥିବା ମତ୍ସଜୀବୀମାନେ କହିଛନ୍ତି। ଏହି ମତ୍ସଜୀବୀମାନେ ମାଛ ମାରିବା ଛାଡ଼ି ଦିନ ମଜୁରିଆ ଭାବେ କାମ କରୁଥିବା ଦେଖିବାକୁ ମିଳିଛି। ଦିନ ୧୧ ଟାରେ ମହାନଦୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଛତିଶଗଡ଼ ଜାଞ୍ଜଗିର ଚାମ୍ପା ଜିଲାର କଲମା ବ୍ୟାରେଜ ପହଞ୍ଚିଥିଲେ। ସେଠାରୁ ମହାନଦୀ ଜଳକୁ ବ୍ୟାରେଜ୍ରେ ଅଟକାଯାଇଛି। ଫଳରେ ଏହି ଅଣ ମୌସୁମି ସମୟରେ ମଧ୍ୟ ମହାନଦୀରେ ଟୋପାଏ ପାଣି ମଧ୍ୟ ଯାଉନାହିଁ। କଲମା ଠାରୁ ମହାନଦୀ ବଞ୍ଚାଅ ଯାତ୍ରା ଆରମ୍ଭ କରାଯାଇଛି। ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଯାତ୍ରାରେ ୧୫ ଜଣିଆ ଦଳ ଏହି ଯାତ୍ରାରେ ସାମିଲ ରହିଛନ୍ତି। ତନମଧ୍ୟରୁ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ପରେଶ ଜାଲି, ଅନୁଣ ଜେନା, ପ୍ରଭାସିନୀ ରାଉତ, ଗନ୍ଧର୍ବ ଭୋଳ ଓ ଚିନ୍ମୟ ଗଣ୍ଡା ପ୍ରମୁଖ ସାମିଲ ଥିଲେ। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦେଶ୍ୟରେ ଏକ ଲକ୍ଷ ଦସ୍ତଖତ ସମ୍ମିଳିତ ଦସ୍ତଖତ ପ୍ରେରିତ କରାଯିବ। ମନାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଛି। ମହନଦୀ ଉପରେ ଛତିଶଗଡ଼ ସରକାର ଏକଚାଟିଆ ଭାବରେ ଶତାଧିକ ବ୍ୟାରେଜ ନିର୍ମାଣ କରିସାରିଛନ୍ତି। କିଛିଦିନ ହେବ ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରିଦେବାରୁ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଯାହାଫଳରେ ହୀରାକୁଦ ଜଳ ଭଣ୍ଡାରକୁ ଏହି ଅଣ ମୌସୁମୀ ସମୟରେ ପାଣି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଯାହାକୁ ଅନେକ ପରିବେଶବିତ୍ ଅନୁମାନ କରିଥିଲେ। ଜନ ସାଧାରଣଙ୍କ ଚାପରେ ମହାନଦୀ ଟ୍ରାଇବୁନାଲ ହୋଇଛିି ସତ କିନ୍ତୁ ଏହି ଟ୍ରାଇବୁନାଲ ଫଇସଲା ଆସିବା ଯାଏ ଆଉ କିଛିନଥିବ। ଏହି ଟ୍ରାଇବୁନାଲ ରାୟ ନଆସିବା ଯାଏ ଏହି ବ୍ୟାରେଜ ଗୁଡ଼ିକ କାର୍ଯ୍ୟକ୍ଷମ ନହେବା ଉଚିତ ବୋଲି ମହାବଦୀ ବଞ୍ଚାଅ ଅଭିଯାନର ଦାବି। ରାଜ୍ୟ ସରକାର ମହାନଦୀକୁ ସୁରକ୍ଷା ଦେବା କ୍ଷେତ୍ରରେ ଉପଯୁକ୍ତ ପଦେକ୍ଷପ ନେବା ଦରକାର। ମହାନଦୀ କୂଳେ କୂଳେ ୧ କୋଟି ବୃକ୍ଷ ଲଗାଇବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କେବଳ ସେତିକି ଯଥେଷ୍ଟ ନୁହଁ। ମହାନଦୀ ଆବାହିକାରେ ଜଳ ସଂରକ୍ଷଣ, ମହାନଦୀ ଶଯ୍ୟାକୁ ଅବରୋଧରୁ ରକ୍ଷା କରିବା, ପ୍ରଦୂଷଣରୁ ମୁକ୍ତ କରିବା, ମୃତ୍ତିକା କ୍ଷୟ କାରଣରୁ ନଦୀ ଶଯ୍ୟା ପୋତି ହେଇଯାଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୋଲି ମତ ପ୍ରକାଶ ପାଇଛି। ଏହି ଯାତ୍ରା କଲମାଠାରୁ ବରଗଡ଼ ଜିଲା ଭଟଲି ଅଭିମୁଖ୍ୟେ ଯାତ୍ରା କରିଥିଲା।