+୨ ମୂଲ୍ୟାୟନରେ ଯୋଗଦେଇ ନ ଥିବା ପରୀକ୍ଷକଙ୍କୁ ନିଲମ୍ବନ ନିର୍ଦେଶ

0

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) +୨ ଉତ୍ତରଖାତା ମୂଲ୍ୟାୟନରେ ଯୋଗଦେଇନଥିବା ପରୀକ୍ଷକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସିଏଚ୍‌ଏସ୍‌ଇ ଯୁକ୍ତ ଦୁଇ ଉତ୍ତରଖାତା ମୂଲ୍ୟାୟନର ନନ୍‌-ରିପୋଟିଂ ଓ ଅନୁପସ୍ଥିତ ପରୀକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପରିଚାଳନା ସଭାପତି ଓ ସ୍ୱତନ୍ତ୍ର ଅଧିକାରୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ଚିଠି ଲେଖିଛନ୍ତି।
ସିଏଚ୍‌ଏସ୍‌ଇ ପକ୍ଷରୁ +୨ ଉତ୍ତରଖାତା ମୂଲ୍ୟାୟନ ପାଇଁ ନିଯୁକ୍ତି ଦିଆଯାଇଥିବା ପରୀକ୍ଷକ ଜାଣିଶୁଣି କାର୍ଯ୍ୟରେ ଯୋଗଦେଇନାହାନ୍ତି ଓ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ଥିବା ସରକାରଙ୍କ ନଜରକୁ ଆସିଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏପ୍ରିଲ୍‌ ୭ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ନିୟମର ଧାରା ୮ ଅନୁଯାୟୀ ଅଧ୍ୟାପକ, ବରିଷ୍ଠ ଅଧ୍ୟାପକ ଓ ପ୍ରାଧ୍ୟାପକ ଉତ୍ତରଖାତା ମୂଲ୍ୟାୟନ ପାଇଁ ମନା କରିପାରିବେ ନାହିଁ। ଯେଉଁମାନେ ଏହି ନିୟମ ଉଲ୍ଲଙ୍ଘନ କରନ୍ତି ଧାରା ୯ ଅନୁସାରେ ସେମାନଙ୍କ ବିରୋଧରେ ସବନିମ୍ନ ୩ମାସ କାରାଦଣ୍ଡ ସହିତ ୩ହଜାର ଟଙ୍କା ଜୋରିମାନା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। +୨ ଉତ୍ତରଖାତା ମୂଲ୍ୟାୟନ ପାଇଁ ନିଯୁକତି ପାଇଥିବା ବହୁ ଅଧ୍ୟାପକ ଜାଣିଶୁଣି କାର୍ଯ୍ୟରେ ଯୋଗ ଦେଉନଥିବା ଜଣାପଡ଼ିଛି। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଧ୍ୟ ହୋଇ ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ନିୟମର ଧାରା ୮ ଓ ୯ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ପରିପ୍ରେକ୍ଷୀରେ +୨ ଉତ୍ତରଖାତା ମୂଲ୍ୟାୟନରେ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗଦେଇନଥିବା ପରୀକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ଜାରି କରିଛନ୍ତି। ଏଥିରେ ଅବହେଳା ପ୍ରଦର୍ଶନ କଲେ ସମ୍ପୃକ୍ତ କଲେଜର ପରିଚାଳନା ସଦସ୍ୟଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିଚାଳନା ସଦସ୍ୟ ଏ ସଂକ୍ରାନ୍ତରେ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ନିର୍ଦେଶକ ନିର୍ଦେଶ ଜାରି କରିଛନ୍ତି।

Leave A Reply