mission shakti banner

ଭକ୍ତଙ୍କ ସଂଖ୍ୟା ୪୦ହଜାର ଟପିଲା, ବିବାହ ପାଇଁ ସ୍ୱୀକୃତି ଶେଷ

nua o banner
0

ଚନ୍ଦନେଶ୍ୱର : ପ୍ରସିଦ୍ଧ ଚନ୍ଦନେଶ୍ୱର ବାବାଙ୍କ ଚଡକ ପର୍ବର ସୋମବାର ପଞ୍ଚମ ଅର୍ଘ୍ୟ ସମ୍ପନ୍ନ ହୋଇଛି। ଚୈତ୍ରମାସର ଅନ୍ତିମ ସୋମବାର ହୋଇଥିବାରୁ ଶୈବପୀଠ ଉତ୍ସବ ମୁଖର ହୋଇ ଉଠିଛି। ଆଜି ମହାଦେବଙ୍କ ପୀଠରେ ଉପବୀତଧାରୀ ଭକ୍ତଙ୍କ ସଂଖ୍ୟା ୪୦ ହଜାର ଟପିଥିବାର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜଣାପଡିଛି। ଏହା ବ୍ୟତୀତ ବିବାହ ନିମନ୍ତେ ମଧ୍ୟ ସୋମବାର ସ୍ୱୀକୃତି ଶେଷ ହୋଇଯାଇଛି। ମନ୍ଦିର ଦୈନନ୍ଦିନ ନୀତି ପରେ ଅର୍ଘ୍ୟଦାନ ଶେଷ ହୋଇଥିଲା।
ଚଡ଼କ ମେଳାର ପଞ୍ଚମ ଅର୍ଘ୍ୟ ଅବସରରେ ପ୍ରାୟ ୪୦ ହଜାରରୁ ଊଦ୍ଧ୍ୱର୍ ଭକ୍ତ ଉପବୀତ ଧାରଣ କରିଛନ୍ତି। ଅପରପକ୍ଷରେ ଅନ୍ତିମ ସୋମବାର ପାଇଁ ବହୁ ମାନସିକ ଧାରୀ ଭକ୍ତ କେଶ ମଣ୍ଡନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ପୁରୋହିତ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ଟ୍ରଷ୍ଟବୋର୍ଡ ପକ୍ଷରୁ ଡାକବାଜି ଯନ୍ତ୍ରରେ ସ୍ୱଚ୍ଛତା ପ୍ରତି ସୂଚନା ଦିଆଯାଉଥିଲେ ମଧ୍ୟ ବେଡା ମଧ୍ୟରେ ଅକଟା ପଇଡର ଅଂଶ ପଡିଥିବାର ଦେଖିବାକୁ ମିଳିଥିଲା।
ଫଳରେ ମନ୍ଦିରକୁ ଯିବା ଆସିବାରେ ଅସୁବିଧା ହୋଇଥିଲା। ପ୍ରବଳ ଜନସମାଗମକୁ ଲକ୍ଷ୍ୟ ରଖି ମେଳା ମଧ୍ୟକୁ ଯାନ ବାହାନ ପଶିବାକୁ ଦିଆଯାଇନଥିଲା। ବିଜୁ ଗୋଲେଇ ଛକରେ ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାର ନିଜେ ରହି ଏସବୁର ତଦାରଖ କରିଥିଲେ। ଭକ୍ତଙ୍କ ପାଇଁ ହୋଇଥିବା ୬ଟି କାଉଣ୍ଟରରେ ପ୍ରବଳ ଗହଳି ସନ୍ଧ୍ୟା ପର୍ଯ୍ୟନ୍ତ ଲାଗି ରହିଥିଲା। ତେବେ ସନ୍ଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ହେବାରୁ ଲୋକମାନେ ଅସୁବିଧାରେ ପଡିଥିଲେ। ପଞ୍ଚମ ଅର୍ଘ୍ୟଦାନ ବେଳେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡି ନିରଞ୍ଜନ ଲେଙ୍କା,ଦେଉଳିଆ ଅଜିତ ପାତ୍ରଙ୍କ ସମେତ ସେବାୟତମାନେ ଭଟ୍ଟପୁର ଗାଁକୁ ଯାଇ ବିବାହ ନିମନ୍ତେ ସ୍ୱୀକୃତି ପ୍ରଦାନ କରିଥିଲେ। ଅପରପକ୍ଷରେ ପଶ୍ଚିମବଙ୍ଗ ରାଜ୍ୟ ସରକାର ପରିବହନ ପାଇଁ ଅଧିକ ବସ ଓ ସ୍ୱତନ୍ତ୍ର ରେଳର ବନ୍ଦୋବସ୍ତ କରିଥିଲେ ହେଁ ବାଲେଶ୍ୱର ଆଞ୍ଚଳିକ ପରିବହନ ପକ୍ଷରୁ ଗୋଟିଏ ବି ଅଧିକ ବସ ରୁଟରେ ଚଳାଚଳ କରିନଥିଲା। ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ, ମୁଖ୍ୟ ସେବାୟତ ଜୟନାରାୟଣ ପଣ୍ଡା, ଟ୍ରଷ୍ଟି ତଥା ସ୍ଥାନୀୟ ସରପଞ୍ଚ ତପନ କୁମାର ପଣ୍ଡା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରିଙ୍କ ସମେତ ଅନ୍ୟ ଟ୍ରଷ୍ଟି ଉପସ୍ଥିତ ରହି ମେଳା ସୁପରିଚାଳନାରେ ସହଯୋଗ କରଥିଲେ।

Leave A Reply