ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁବାବୁ: ମାଲବ୍ୟ
ଭୁବନେଶ୍ୱର : ବିଜୁବାବୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ। ସେ ଯଥାର୍ଥରେ ଲୋକପ୍ରିୟ ନେତା ଏବଂ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ। ସେ ଦେଶ ଏବଂ ବିଦେଶରେ ମଧ୍ୟ ପରିଚିତ ଥିଲେ। ଓଡ଼ିଶାର ଲୋକଙ୍କ ମନକଥାକୁ ବୁଝିଥିଲେ ବିଜୁବାବୁ। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁ ବର୍ଗର ଜନତାଙ୍କ ସହିତ ମିଶୁଥିଲେ ଏବଂ ସେମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ମତବ୍ୟକ୍ତ କରିଛନ୍ତି।
ଉତ୍କଳ ଦିବସ ଅବସରରେ ପ୍ରବାଦପୁରୁଷ, ବିଶିଷ୍ଟ ଜନନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦୁର୍ବାର ବ୍ୟକ୍ତିତ୍ୱ ଓ ଅଦମ୍ୟ ସାହସିକତାର ବିଭିନ୍ନ ସ୍ମୃତିକୁ ନେଇ ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ଆୟୋଜିତ ୧୭ଦିନ ବ୍ୟାପୀ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ‘ଦି ଟଲ୍ମ୍ୟାନ୍ ଏ ଭିଜିନାରି ଲିଡର ଅଫ୍ ଦି ସେଞ୍ଚୁରି’ କଥାବସ୍ତୁକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରି ଶ୍ରୀ ମାଲବ୍ୟ କହିଥିଲେ, ବିଜୁବାବୁ ଥିଲେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ତାଙ୍କର ଫଟୋଚିତ୍ର ଆଙ୍କିଥିବା ସମସ୍ତ ଶିଳ୍ପୀଙ୍କୁ ସେ ସାଧୁବାଦ ଜଣାଇବା ସହିତ ସୁଭଦ୍ରା ଆର୍ଟ ଗ୍ୟାଲେରି ଏବଂ ଏହାର କର୍ମକର୍ତ୍ତାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ବିଜୁବାବୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଫଟୋଚିତ୍ରକୁ ପ୍ରଶଂସା କରିଥିଲେ। ଏପରି ଫଟୋ ପ୍ରଦର୍ଶନୀ ଭବିଷ୍ୟତ ପିଢ଼ିଙ୍କୁ ଦେଶ ଗଠନରେ ଅନୁପ୍ରାଣିତ କରିବ ବୋଲି ଗ୍ୟାଲେରି ନିର୍ଦେଶକ ଅଶୋକ ନାୟକ କହିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀ ମାଲବ୍ୟଙ୍କ ପତ୍ନୀ ନମିତା ମାଲବ୍ୟ, ପର୍ଯ୍ୟଟନ ନିର୍ଦେଶକ ନିତିନ ଭାନୁଦାସ ଜାୱଲେ,ମୁମ୍ବଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ, ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଚିବ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ରବିନାରାୟଣ ରଥ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ରୋଟାରି କ୍ଲବ ଭୁବନେଶ୍ୱର ଜିଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ୍ ପ୍ରମୁଖ ଯୋଗଦେଇଥିଲେ। ପ୍ରଦର୍ଶନୀରେ ୬୦ଜଣ ଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୭ ତାରିଖରେ ଉଦ୍ଯାପିତ ହେବ। ଏଥିରେ ରାଜ୍ୟର ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ଆଶିଷ ପାଣ୍ଡେ, ମାନସ ରଞ୍ଜନ ଜେନା, ସୁନିଲ ଡାକୁଆ, ସୁରେଶ୍ୱର ଧଳ, ରାଜେନ୍ଦ୍ର ନାରାୟଣ ସାହୁ, ମହମ୍ମଦ ଅନୱର, ମନୋଜ ମହାନ୍ତି, ମାନସ ରଞ୍ଜନ ଜେନା, ମୀନକେତନ ପଟ୍ଟନାୟକ ଏବଂ ଶ୍ୟାମସୁନ୍ଦର ଆଚାର୍ଯ୍ୟଙ୍କ ସମେତ ରାଜ୍ୟ ବାହାରର ବହୁ ଶିଳ୍ପୀଙ୍କ କଳାକୃତି ସ୍ଥାନ ପାଇଛି। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗ୍ୟାଲେରିର ଅଧ୍ୟକ୍ଷ ଇଂ. ସୂର୍ଯ୍ୟ ରଥ।