ଆଜି ପ୍ରଚାର କରିବେ ନଡ୍ଡା, ଯୋଗୀ, ବିଶ୍ୱଶର୍ମା ଓ ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟର ତୃତୀୟ ତଥା ଦେଶର ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ବିଜେପିର ୪ ମହାରଥୀ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ପୂର୍ବାହ୍ଣ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ଣ ୨ଟାରେ ବଡଚଣା ଏବଂ ଅପରାହ୍ଣ ୪.୪୫ରେ ବାଲିକୁଦା- ଏରସମା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପୂର୍ବାହ୍ଣ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ଣ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଳୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ଲକ୍ଷ୍ମୀନାଥ ବେଜବରୁଆଙ୍କ ଜନ୍ମସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଶ୍ରୀ ବିଶ୍ୱଶର୍ମା ଦେବଗଡଠାରେ ପୂର୍ବାହ୍ଣ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧.୩୦ରେ ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି ପୂର୍ବାହ୍ଣ ୧୦.୩୦ରେ ଦେବଗଡଠାରେ ଅନୁଷ୍ଠିତ ରୋଡ ଶୋରେ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କ ସହିତ ଯୋଗ ଦେବେ । ଏହାପରେ ଶ୍ରୀ ପ୍ରଧାନ ମଧ୍ୟାହ୍ନ ୧ଟାରେ ରେଙ୍ଗାଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ୨୫ ଏବଂ ଜୁନ ୧ରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି।

Comments are closed.