ଢେଙ୍କାନାଳ ସଦର : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାରେ ମଙ୍ଗଳବାର ମାଘଶୁକ୍ଳ ଚତୁର୍ଦ୍ଦଶୀ ପ୍ରଭୁ ପୂର୍ଣ୍ଣମୀରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହୋଇଛି। ଗୁରୁବ୍ରହ୍ମ ମହିମା ଅଲେଖଧ୍ୱନିରେ ମହିମାଗାଦି ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି। ଚଳିତବର୍ଷ ମେଳାରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ନିତିସେବକ ସନ୍ନ୍ୟାସୀଙ୍କଦ୍ୱାରା ଝାଡ଼ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଝାଡ଼ଦୀପରେ ଘୃତାହୂତି ପାଇଁ ଶ୍ରଦ୍ଧାଳୁମାନେ ଗାଦିମନ୍ଦିର ପରିସରରେ ସମବେତ ହୋଇଥିଲେ। ସେହିପରି ଘୃତାହୂତି ଦେବାକୁ ସନ୍ୟାସୀ ଓ ଭକ୍ତ ଗାଦିମନ୍ଦିର ସମ୍ମୁଖରେ ଠିଆ ହୋଇଥିଲେ। ପ୍ରଭୁ ପୂର୍ଣ୍ଣମୀରେ ଝାଡ଼ଦୀପ ପ୍ରଜ୍ୱଳନ ଓ ଧୂନୀରେ ଘୃତ, ଚନ୍ଦନ ଓ ନାରିକେଳ ଅର୍ପଣ ପାଇଁ ଗାଦିମନ୍ଦିର ସମେତ ଶୂନ୍ୟମନ୍ଦିର, ଧୂନିମନ୍ଦିର, ଏକୋଈଶହାତିଆ ଟୁଙ୍ଗୀ, ଅଖଣ୍ଡ ଜ୍ୟୋତି ମନ୍ଦିର ଆଦି ଉପାସନା ପୀଠରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି। ମଙ୍ଗଳବାର ବ୍ରାହ୍ମମୁହୂର୍ତ୍ତ ୩ଟା ୪୫ରେ ଗାଦିମନ୍ଦିରର ଚାରିଦ୍ୱାର ଖୋଲାଯାଇ ପ୍ରଥମେ ମାହାଳମୂଳ କୂଅରୁ ରୂପାଗରାରେ ପାଣି ଅଣାଯାଇ ସେଥିରେ ଚନ୍ଦନ, ଅଗୂର, କର୍ପୂର ଆଦି ମିଶାଇ ମନ୍ଦିର ଚାରିପାଖ ସିଞ୍ଚନ କରାଯାଇଥିଲା। ପରେ ବରି ବକାଳଧାରୀବାବା ଶୁକଦେବ ଦାସଙ୍କଦ୍ୱାରା ରୂପାଝାଡୁରେ ଛେରାପହଁରା କରାଯାଇଥିଲା। ପ୍ରାତଃ ୪ଟା ୧୫ରେ ୨୨ ସିଦ୍ଧ ବକ୍କଳଧାରୀ ସନ୍ନ୍ୟାସୀଙ୍କଦ୍ୱାରା ମନ୍ଦିର ଚତୁଃପାର୍ଶ୍ବ ଚାମରବ୍ୟଜନ କରାଯାଇଥିଲା। ସାତମୁଠା ସୁନାଚାମର ଓ ଅବଶିଷ୍ଟ ରୂପାଚାମରରେ ସିଦ୍ଧ ବକ୍କଳଧାରୀ ସନ୍ନ୍ୟାସୀମାନେ ମନ୍ଦିର ଚାରିପାଖ ଚାମର ସେବା କରିଥିଲେ। ମଧ୍ୟାହ୍ନରେ ଚାମର ବ୍ୟଞ୍ଜନ ଓ ଅନ୍ୟ ନୀତି କରାଯାଇଥିଲା। ଗାଦିମନ୍ଦିର ପରିସରରେ ସକାଳ ସାଢେ ୮ଟାରେ ନୀତି ମନ୍ଦିରରୁ ପିତଳ ଝାଡ଼ବୃକ୍ଷ ଓ ଅନ୍ୟ ଉପକରଣ ଅଣାଯାଇ ମନ୍ଦିର ଚାରିପାଖରେ ସ୍ଥାପନ କରାଯାଇଥିଲା। ଅପରାହ୍ନ ତିନିଟା ୧୫ରେ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ରେ ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥିଲା। ସତ୍ୟ ମହିମାଧର୍ମ ଧାମ ପରିଚାଳନା ସମିତି ସଭାପତି ସୁକଦେବ ବାବାଙ୍କ ତତ୍ୱାବଧାନରେ ସମ୍ପାଦକ ନିତ୍ୟାନନ୍ଦ ବାବା ପ୍ରମୁଖ ସିଦ୍ଧ ଅବଧୂତ ବକ୍କଳଧାରୀ ବାବାମାନେ ମେଳା ପାଇଁ ଗୁରୁତ୍ୱପୂର୍ଣ୍ଣ ନୀତି ତଦାରଖ କରିଥିଲେ। କୈପୀନଧାରୀ ମହିମା ସମାଜଦ୍ୱାରା ପରିଚାଳିତ ଅଖଣ୍ଡଜ୍ୟୋତି ମନ୍ଦିର, ଅଖଣ୍ଡ ଧୂନୀ ମନ୍ଦିର, ନୀତିମନ୍ଦିର ଓ ଭେକ ମନ୍ଦିରରେ ମାଘ ମେଳା ପାଇଁ ନୀତିସେବକ ସନ୍ନ୍ୟାସୀମାନେ ଝାଡ଼ ଜାଳିବା ସହ ଧୂନୀ ସ୍ଥାପନ କରିଛନ୍ତି। ସତ୍ୟ ଅଲେଖ କୈପୀନଧାରୀ ମହିମା ସମାଜର ସଭାପତି ରଘୁନାଥ ବାବା, ଅବିନାଶୀ ବାବା, ବୀଣାକର ବାବା, ସୁଶାନ୍ତ ବାବା, ଅରୂପ ବାବା ପ୍ରମୁଖ ଜ୍ୟୋତିମନ୍ଦିର, ଓ ବତୀମନ୍ଦିରରେ ଝାଡ଼ଦୀପ ପ୍ରଜ୍ବଳନ ଓ ଧୂନୀ ସ୍ଥାପନ ପରିଚାଳନା କରିଛନ୍ତି। ଜିଲାପାଳ ସୋମେଶକୁମାର ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଉପଜିଲାପାଳ ବିବୁଧ ଗଡ଼଼଼ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୧୧ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଛନ୍ତି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗପକ୍ଷରୁ ଗାଦିମନ୍ଦିର ତୃତୀୟ ବେଢାରେ ସୂଚନା କେନ୍ଦ୍ର ଖୋଲାଯାଇଛି।
Popular Categories



